Categories: ଜାତୀୟ

କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ସନ୍ଧ୍ୟାରେ ରାଜଭବନ ପରିସରରେ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଅର୍ଥାତ୍‌ ସନ୍ଧ୍ୟା ୬ଟା ୩୦ରେ ସେ ଶପଥ ଗ୍ରହଣ କରିଛନ୍ତି। ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ପରେ ତରବରିଆ ଭାବେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା କୁହାଯାଉଛି। କାରଣ ବାକିଥିବା ପ୍ରାୟ ୧୩ ବିଧାୟକଙ୍କୁ ଯଦି ଅଯୋଗ୍ୟ ଘୋଷିତ କରାଯାଇଥାଆନ୍ତା ତେବେ ପୁଣିଥରେ କର୍ନାଟକ ରାଜନୀତିରେ ସଙ୍କଟ ଦେଖାଦେଇ ଥାଆନ୍ତା। ତେଣୁ ଏହା ହେବା ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କ ଉପରେ ଚାପ ପକାଯାଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମରୁ ଏଚ୍‌ଡି କୁମାରସ୍ବାମୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଥିବା କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରି ଶେଷରେ ଭାଜପା ସଫଳ ହୋଇଛି ବୋଲି ଆଲୋଚନା ହେଉଛି। ଆସ୍ଥା ଭୋଟରେ ଭାଜପା ୧୦୫ ଖଣ୍ଡ ଭୋଟ ପାଇ ଏବେ ସରକାର ଗଠନ କରିଛି। ତେବେ ଆସ୍ଥା ଭୋଟରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଅଧ୍ୟକ୍ଷ ଅମିତ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରାମର୍ଶ କ୍ରମେ ଏବେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ପୂର୍ବରୁ ୟେଦୁରପ୍ପା ପ୍ରଥମେ ଭାଜପା କାର୍ଯ୍ୟାଳୟ ଗସ୍ତ କରିଥିଲେ ଓ ଏହାପରେ କାଡୁ ମାଲେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ୟେଦୁରପ୍ପା ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ହେଲେ ପୂର୍ବରୁ ୩ ଥର ଯାକ ସେ ନିଜର କାର୍ଯ୍ୟକାଳ ପୂରଣ କରିପାରି ନ ଥିବା ରେକର୍ଡ ରହିଛି। ତେଣୁ ଏଥର ସେ ତାଙ୍କ କାର୍ଯ୍ୟକାଳ ପୂରଣ କରୁଛନ୍ତି କି ନା ତାକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି।

Share