Categories: ଜାତୀୟ

କର୍ନାଟକ ମେଡିକାଲ ଦୁର୍ନୀତି: ୧୦୯ କୋଟିର ଅଘୋଷିତ ଆୟ

ବେଙ୍ଗାଲୁରୁ, ୧୩ା୧୦: କର୍ନାଟକରେ ଆୟକର ବିଭାଗର ଚଢ଼ାଉ ପରେ ୧୦୯ କୋଟି ଟଙ୍କାର ଅଘୋଷିତ ଆୟ ଧରାପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ଜି. ପରମେଶ୍ୱର ଓ ଆର୍‌.ଏଲ୍‌. ଜଲାପ୍ପାଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଚଢ଼ାଉ କରାଯାଇ ୯ କୋଟି ଟଙ୍କା ଶୁକ୍ରବାର ଜବତ କରାଯାଇଛି। ହାଓ୍ବଲା କାରବାର ଦ୍ୱାରା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଉଥିବା ଅର୍ଥ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ପକ୍ଷରୁ ଏକ ବିବୃତିରେ ଦର୍ଶାଯାଇଛି। ମୋଟ ୧୮୫ରୁ ଗୋଟିଏ ମେଡିକାଲ ସିଟ୍‌ ପିଛା ୫୦ରୁ ୬୫ ଲକ୍ଷ ଟଙ୍କା କାରବାର କରାଯାଉଥିଲା। ଅଧିକାରୀମାନେ ଟୁମାକୁରୁସ୍ଥିତ ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜ, ନେଲାମାଙ୍ଗଲାସ୍ଥିତ ଶ୍ରୀ ସିଦ୍ଧାର୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ ଏବଂ କୋଲାରର ଦେବରାଜ ଉର୍ସ ମେଡିକାଲ କଲେଜରେ ଚଢ଼ାଉ କରି ଜାଣିବାକୁ ପାଇଥିଲେ, ଏମ୍‌ବିବିଏସ୍‌, ପିଜି ସିଟ ଲାଗି ନିଟ୍‌କୁ ଲୋଭ ଦେଖାଯାଉଥିଲା। ଛାତ୍ରୀଛାତ୍ରମାନେ ନିଟ୍‌ ପରୀକ୍ଷା ଦେଉଥିଲେ ହେଁ ମୋଟା ଅଙ୍କର ଅର୍ଥ ଦେଇଥିବାରୁ କଲେଜ ପରିଚାଳନା ବୋର୍ଡ ସେମାନଙ୍କ ସିଟ୍‌ ସୁରକ୍ଷିତ ରଖିଥାନ୍ତି। ଏଜେଣ୍ଟ, ଦଲାଲଙ୍କଠାରୁ ଆରମ୍ଭ କରି କଲେଜ ଟ୍ରଷ୍ଟି ଓ ରାଜନେତା ଏହି ରାକେଟ୍‌ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ଆତ୍ମହତ୍ୟା କଲେ ପରମେଶ୍ୱରଙ୍କ ସହଯୋଗୀ


ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ୱରଙ୍କ ବାସଭବନରେ ଦୁଇଦିନ ଧରି ଆୟକର ବିଭାଗର ଚଢାଉ ପରେ ତାଙ୍କ ବ୍ୟକ୍ତିଗତ ସହାୟକ ଏନ୍‌.ଏସ୍‌. ରମେଶ(୩୮) ଶନିବାର ଆତ୍ମହତ୍ୟା କରିଛନ୍ତି। ରମେଶ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପରମେଶ୍ୱରଙ୍କ ଘରେ ଆଇଟି ରେଡ୍‌ବେଳେ ରମେଶଙ୍କୁ ପଚରାଉଚରା କରାଯାଇଥିଲା। ସେ ଚାପରେ ଆମତ୍ହତ୍ୟା କରିଥିବା କଂଗ୍ରେସ ମୁଖପାତ୍ର ରବି ଗୌଡ଼ା ପ୍ରକାଶ କରିଛନ୍ତି।

Share