ବେଙ୍ଗାଲୁର୍,୨୮।୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ାଛୁଟୁଛି। ଏଚ୍.ଡି କୁମାରସ୍ବାମୀଙ୍କ ରାଜନୀତି ଦୌଡ଼ରେ ପଛାର ପକାଇ ବି.ଏସ୍.ୟେଦୁରପ୍ପା କ୍ଷମତା ଦଖଲ କରିଥିଲେ। ଏହାପରେ ବାଚସ୍ପତି ଆର୍. ରମେଶ କୁମାର ଗୁରୁବାର ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେବେ ରବିବାର ରମେଶ ପୁଣି ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ କଂଗ୍ରେସ ଏବଂ ୩ ଜଣ ଜେଡିଏସ୍ ବିଧାୟକ ରହିଛନ୍ତି। ଏହାଦ୍ୱାରା କର୍ନାଟକ ବିଧାନସଭାରେ ଏବେ ସଦସ୍ୟ ସଂଖ୍ୟା ୨୦୭ ରହିଛି। ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ୧୦୫ ଜଣ ସଦସ୍ୟଙ୍କ ସମର୍ଥନ ଲୋଡା ବୋଲି କୁହାଯାଉଛି। ସେ ସୋମବାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ।