Categories: ଜାତୀୟ

କର୍ନାଟକ ସଙ୍କଟ: ମୋଦି ସରକାରଙ୍କ ପାଇଁ ୩୫୬ ଧାରା ଜାରି ଲାଗି ପୁଣି ଏକ ସୁଯୋଗ

ନୂଆଦିଲ୍ଲୀ,୨୦।୭: କର୍ନାଟକରେ ସଙ୍କଟ ଲାଗି ରହିଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ସାମ୍ବିଧାନିକ ଧାରା ୩୫୬ର ଉପଯୋଗ କରିବା ଲାଗି ଦ୍ୱିତୀୟ ଇନିଂସ୍‌ରେ ପୁଣି ଏକ ସୁଯୋଗ ଆଣିଦେଇଛି। ତେବେ ଏହା ପୂର୍ବରୁ ଦୁଇ ରାଜ୍ୟରେ ୩୫୬ ଧାରା ଅନ୍ତର୍ଗତ ରାଷ୍ଟ୍ରପତି ଶାସନ ଜାରି ପାଇଁ ନିଜର ପ୍ରଥମ ଶାସନ କାଳରେ ଉଦ୍ୟମ କରି ମୋଦି ସରକାର ବିଫଳ ହୋଇଛନ୍ତି। ତେଣୁ କର୍ନାଟକରେ ଏହି ଧାରାର ଉପଯୋଗ ପୂର୍ବରୁ ମୋଦି ସରକାରଙ୍କୁ ଚିନ୍ତା କରିବାକୁ ପଡ଼ିବ। ୨୦୧୬ରେ ଅରୁଣାଚଳପ୍ରଦେଶରେ ରାଜନୈତିକ ଅଚଳାବସ୍ଥାରୁ କେନ୍ଦ୍ରର ଭାଜପା ସରକାର ଫାଇଦା ନେବାକୁ ଚେଷ୍ଟା କରି ଜାନୁୟାରୀ ୨୬ରେ ଏଠାରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ୍‌ କରିଥିଲେ। ତେବେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚିଥିଲା। ନ୍ୟାୟାଳୟ ଏନେଇ ରାଜ୍ୟପାଳଙ୍କଠାରୁ ରିପୋର୍ଟ ମାଗିଥିଲେ। ୧୧ ଫେବୃୟାରୀରେ ସୁପ୍ରିମ୍‌କୋର୍ଟ ନିଜ ରାୟରେ ଦର୍ଶାଇଥିଲେ ଯେ, ରାଜ୍ୟପାଳ ବାଚସ୍ପତିଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନେଇପାରିବେ ନାହିଁ। ରାୟ ଅନୁସାରେ ରାଜ୍ୟ ସରକାରଙ୍କୁ ପୁଣି ଶାସନ ଡୋର ଧରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ଫେବୃୟାରୀ ୧୯ରେ ଏଠାରେ ରାଷ୍ଟ୍ରପତି ଶାସନ ଶେଷ ହୋଇଥିଲା। ଜୁଲାଇ ୧୩ରେ ସୁପ୍ରିମ୍‌କୋର୍ଟ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅଣ-ସାମ୍ବିଧାନିକ ଦର୍ଶାଇଥିଲେ। ରାଜ୍ୟରେ କାଲିଖୋ ପୁଲଙ୍କ କଂଗ୍ରେସ ସରକାର ପୁଣି ଶାସନ କରିଥିଲେ। ସେହିପରି ୨୦୧୬ରେ ଉତ୍ତରାଖଣ୍ଡରେ ବିଦ୍ରୋହୀ ବିଧାୟକଙ୍କ ଯୋଗୁ ହରିଶ୍‌ ରାଓ୍ବତଙ୍କ ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ରାଜ୍ୟପାଳଙ୍କ ସୁପାରିଶ୍‌ କ୍ରମେ ତତ୍କାଳୀନ ରାଷ୍ଟ୍ରପତି ରାଜ୍ୟରେ ରାଷ୍ଟ୍ରପତି ଶାସନ ଅନୁମତି ଦେଇଥିଲେ। ତେବେ ରାଜ୍ୟ ସରକାର ହାଇକୋର୍ଟରେ ନିଷ୍ପତ୍ତି ବିରୋଧରେ ଆବେଦନ କରିଥିଲେ। ହାଇକୋର୍ଟ ଏହାକୁ ଭୁଲ୍‌ ବୋଲି ଦର୍ଶାଇଥିଲେ। କେନ୍ଦ୍ର ସରକାର ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଜୁଲାଇ ୧୩ରେ କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ସୁପ୍ରିମ୍‌ କୋର୍ଟ ଅଣ-ସାମ୍ବିଧାନିକ ବୋଲି କହିଥିଲେ। ମୋଦି ସରକାରଙ୍କ ପାଖରେ ଏଭଳି ଦୁଇଥର ଅସଫଳ ହେବାର ଅଭିଜ୍ଞତା ରହିଛି। ତେଣୁ କର୍ନାଟକ ମାମଲାରେ ଏଭଳି ପଦକ୍ଷେପ ନେବା ପୂର୍ବରୁ କେନ୍ଦ୍ର ସରକାର ବାରମ୍ବାର ଚିନ୍ତା ନିଶ୍ଚିତ କରିବେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share