Categories: ଜାତୀୟ

କର୍ନାଟକ ସରକାରଙ୍କ ବରଖାସ୍ତ ଦାବିକଲା କଂଗ୍ରେସ

ବେଙ୍ଗାଲୁରୁ,୩ା୧୧(ପି.ଟି.): କର୍ନାଟକରେ ବିଦ୍ରୋହୀ କଂଗ୍ରେସ-ଜେଡିଏସ୍‌ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପଛରେ ଭାଜପା କେନ୍ଦ୍ରୀୟ ନେତୃତ୍ୱ ସମ୍ପୃକ୍ତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଥିବାର ଅଡିଓ କ୍ଲିପ୍‌ ଲିକ୍‌ ହେବା ପରେ ବିବାଦ ଜୋର ଧରିଛି। ଏହାକୁ ନେଇ ଶନିବାର କର୍ନାଟକର ଭାଜପା ସରକାରଙ୍କ ବରଖାସ୍ତ ଦାବି କରିଛି କଂଗ୍ରେସ। ଅନ୍ୟପକ୍ଷରେ ୟେଦୁରପ୍ପା ସେପରି କିଛି କହି ନ ଥିବା ଭାଜପା ପକ୍ଷରୁ କୁହାଯାଇଛି।
କର୍ନାଟକରେ ୧୭ ବିଦ୍ରୋହୀ ବିଧାୟକଙ୍କ ପାଇଁ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ସରକାର ଭାଙ୍ଗିଯାଇଥିଲା। ଏହା ପରେ ଜୁଲାଇ ୨୬ରେ ୟେଦୁରପ୍ପାଙ୍କ ନେତୃତ୍ୱରେ ଭାଜପା ସେଠାରେ ସରକାର ଗଢ଼ିଥିଲା। ଏହି ସରକାରକୁ ୧୦୦ ଦିନ ପୂରିଥିଲାବେଳେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ବିଦ୍ରୋହୀ ବିଧାୟକମାନଙ୍କୁ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ତତ୍ତ୍ୱାବଧାନରେ ମୁମ୍ବାଇରେ ରଖାଯାଇଥିଲା ବୋଲି ଭାଇରାଲ ହୋଇଥିବା ଅଡିଓ କ୍ଲିପିଂରେ ୟେଦୁରପ୍ପା କହିଥିବା ଜଣାପଡିଛି। ଫଳରେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ ରାଷ୍ଟ୍ରପତି ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ଅନୁରୋଧ କରିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଓ ରାଜ୍ୟ କଂଗ୍ରେସ ମୁଖ୍ୟ ଦିନେଶ ଗୁଣ୍ଡୁ ରାଓଙ୍କ ନେତୃତ୍ୱରେ ବିରୋଧୀ ଦଳର ନେତାମାନେ ରାଜ୍ୟପାଳ ବଜୁଭାଇ ଭାଲାଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନେ ୟେଦୁରପ୍ପା ସରକାରଙ୍କ ବରଖାସ୍ତ ଦାବି କରିଛନ୍ତି।

Share