Categories: ଜାତୀୟ

କର୍ନାଟକ ସରକାର ଟଳମଳ

ନୂଆଦିଲ୍ଲୀ/ବେଙ୍ଗାଲୁରୁ, ୨୯ା୫(ପି.ଟି.): କର୍ନାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ଏବଂ କଂଗ୍ରେସ ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ କୁମାରସ୍ବାମୀ ସରକାର ଟଳମଳ ହୋଇଛି। ଏଭଳି ସ୍ଥିତିରେ ଲୋକ ସଭା ନିର୍ବାଚନରେ ମେଣ୍ଟର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଏବଂ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ଦର୍ଶାଇ ବିଧାନସଭା ଭଙ୍ଗ ପାଇଁ ବରିଷ୍ଠ ଭାଜପା ନେତା ବି.ଏସ୍‌. ୟେଦୁରପ୍ପା ଦାବି କରିଛନ୍ତି। ମତଭେଦ ଦୂର କରି ସଙ୍କଟ ଟାଳିବା ପାଇଁ ଏଆଇସିସି ସାଧାରଣ ସମ୍ପାଦକ ତଥା ଦଳର କର୍ନାଟକ ପ୍ରଭାରୀ କେ.ସି. ବେଣୁଗୋପାଳ ଏବଂ ବରିଷ୍ଠ ନେତା ଗୁଲାମନବୀ ଆଜାଦ ବେଙ୍ଗାଲୁରୁ ଗସ୍ତ କରିଛନ୍ତି।
ଗତବର୍ଷ ଜେଡିଏସ୍‌-କଂଗ୍ରେସ ସରକାର ଗଠନ ହେବା ପରଠାରୁ ଏହା ଉପରେ ବିପଦର ବାଦଲ ଛାଇହୋଇରହିଛି। ଭାଜପା ଏହି ମେଣ୍ଟକୁ ଭାଙ୍ଗି ସରକାର ଗଠନ ପାଇଁ ଉଦ୍ୟମ ଚଳାଇଥିବା କଂଗ୍ରେସ ଏବଂ ଜେଡିଏସ୍‌ ନେତାମାନେ ସବୁବେଳେ ଅଭିଯୋଗ କରିଆସିଛନ୍ତି। ସାଧାରଣ ନିର୍ବାଚନରେ କ୍ଷମତାସୀନ ମେଣ୍ଟକୁ ମାତ୍ର ଗୋଟିଏ ଲୋକ ସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଭାଜପା ୨୫ଟି ଆସନ ଦଖଲ କରିଛି। ବରିଷ୍ଠ ଭାଜପା ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କ୍ରିଷ୍ଣାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନରେ କଂଗ୍ରେସର ୨ ବିଧାୟକ ରବିବାର ତାଙ୍କୁ ସାକ୍ଷାତ କରିଥିଲେ। ବିଦ୍ରୋହୀ ବିଧାୟକ ରମେଶ ଜାର୍କିହୋଲି ଏବଂ ସୁନ୍ଦର ଏହାକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି କହୁଥିଲେ ହେଁ କଂଗ୍ରେସ ନେତାମାନେ ସାକ୍ଷାତକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକ ୨୯ରେ ହେବାକୁ ଥିବାବେଳେ ସମସ୍ୟାର ସମାଧାନ ପାଇଁ ଆଜାଦ ଓ ବେଣୁଗୋପାଳ ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ୨୨୪ ସଦସ୍ୟ ବିଶିଷ୍ଟ କର୍ନାଟକ ବିଧାନସଭାରେ ଭାଜପାର ୧୦୫ ସଦସ୍ୟ ଥିବାବେଳେ ଶାସକ ମେଣ୍ଟର ୧୧୭ ବିଧାୟକ ଅଛନ୍ତି। ବିଧାନସଭା ନିର୍ବାଚନରେ କଂଗ୍ରେସ ୭୯, ଜେଡିଏସ୍‌ ୩୭ ଓ ବିଏସ୍‌ପି ଗୋଟିଏ ଆସନ ଦଖଲ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସରକାର ଭଙ୍ଗକରି ବିଧାନସଭା ନିର୍ବାଚନ ପାଇଁ ଦାବି କରିଥିବାବେଳେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ସରକାର ବଞ୍ଚାଇବା ଲାଗି ମେଣ୍ଟ ଦଳର ବିଶେଷକରି କଂଗ୍ରେସ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବାରେ ଲାଗିଛନ୍ତି।

Share