Categories: ଜାତୀୟ

କର୍ମକର୍ତ୍ତାଙ୍କୁ ମାଡ଼ ମାରିଲେ କମଲନାଥଙ୍କ ମନ୍ତ୍ରୀ

ଭୋପାଳ,୩୧।୧୨: କଂଗ୍ରେସରେ କନ୍ଦଳ। ନିଜ ଦଳର କର୍ମକର୍ତ୍ତାଙ୍କୁ ମାଡ଼ ମାରି ଏବେ ଚର୍ଚ୍ଚାକୁ ଆସିଛନ୍ତି ମନ୍ତ୍ରୀ। କମଲନାଥ ସରକାରରେ ଥିବା ଯୁବ ମନ୍ତ୍ରୀ ତଥା କ୍ରୀଡା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଜିତୁ ପଟଓ୍ବାରୀ କର୍ମକର୍ତ୍ତାଙ୍କ ଉପରେ କ୍ରୋଧାନ୍ବିତ ହୋଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଛୁଟି କାଟିବାକୁ ରାଜ୍ୟ ବାହାରକୁ ଯାଇଥିବା ବେଳେ ତାଙ୍କ ମନ୍ତ୍ରୀଙ୍କର ଏଭଳି କାର୍ଯ୍ୟକଳାପ ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଜିତୁ ପଟଓ୍ବାରୀ ନିଜ ନିର୍ବାଚନ ମଣ୍ଡଳୀ ମଧ୍ୟପ୍ରଦେଶର ରିଓ୍ବାକୁ ଦିନିକିଆ ଗସ୍ତରେ ଯାଇଥିଲେ। ରିଓ୍ବା ସର୍କିଟ ହାଉସରେ ଖବରଦାତା ସମ୍ମିଳନୀର ଆୟୋଜନ ହୋଇଥିଲା। ସେହି ସମୟରେ କଂଗ୍ରେସର କିଛି କର୍ମକର୍ତ୍ତା ରୁମ୍‌ ଭିତରକୁ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିଲେ। ଏହାପରେ ମନ୍ତ୍ରୀ ନିଜେ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଘଉଡ଼ାଇବା ସମୟରେ ତାଙ୍କୁ ପ୍ରଥମେ ଧକ୍କା ବାଜିବାରୁ ଜଣେ କର୍ମକର୍ତ୍ତାଙ୍କୁ ସେ ଗୋଇଠା ମାରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଘଟଣା ସର୍ବ ସମ୍ମୁଖକୁ ଆସିବା ପରେ ବିଜେପି ଏହାକୁ ନିନ୍ଦା କରିବା ସହ କଡ଼ା ସମାଲୋଚନା କରିଛି।

Share