କର୍ମଚାରୀଙ୍କୁ ଆଇସିୟୁରେ ସିଟ୍‌ ମିଳିଲାନି: ମୃତ୍ୟୁ ପରେ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା, ଧାରଣା ଦେଲେ ଆଟେଣ୍ଡାଣ୍ଟ

ଭୁବନେଶ୍ୱର, ୧୦।୭(ବ୍ୟୁରୋ): ଆଇସିୟୁରେ ସିଟ୍‌ ଥିବା ସତ୍ତ୍ୱେ ନ ଦେବା, ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେବା, ଗୁରୁତର ରୋଗୀଙ୍କ ମୃତ୍ୟୁ ଘଟିବା ପ୍ରତିବାଦରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଭଦ୍ରକ ଜିଲା ତିହିଡ଼ି ଦେଉଳି ଗ୍ରାମର ଅନୁପମା ନାୟକ ମଧୁମେହ ରୋଗରେ ପୀଡିତ ଥିଲେ। ସେ କ୍ୟାପିଟାଲ ହସ୍ପିଟାଲରେ ଏସ୍‌ଏନ୍‌ସିୟୁରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟରତ ଥିଲେ। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମହିଳା ଓ୍ବାର୍ଡରେ ଥିଲେ। ମାତ୍ର ରାତିରେ ତାଙ୍କ ଦେହ ଅଧିକ ଖରାପ ହେବା ଯୋଗୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ଦରକାର ପଡ଼ିଥିଲା। ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଅନୁପମାଙ୍କ ପରିବାରକୁ ସିଟ୍‌ ନ ଥିବା କହିଥିଲେ। ଏପରିକି ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେହି ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ଆଇସିୟୁରେ ଏଣ୍ଟ୍ରି ଦିଆଯାଇଥିଲା। ଏଣୁ ସିଟ୍‌ ଥିବା ସତ୍ତ୍ୱେ ମୃତା ଅନୁପମାଙ୍କୁ ନ ଦେବା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ଅନୁପମା ହସ୍ପିଟାଲର କର୍ମଚାରୀ ହୋଇଥିବା ସତ୍ତ୍ୱେ ତାଙ୍କୁ ଆଇସିୟୁ ଦେବାରେ ଅବହେଳା କରିବାକୁ ନେଇ ବିଭିନ୍ନ ବିଭାଗର ଆଟେଣ୍ଡାଣ୍ଟମାନେ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ। ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଦାବିରେ ସକାଳ ୭ଟାରୁ ୧୦.୩୦ ପର୍ଯ୍ୟନ୍ତ ମୃତଦେହ ରଖି କର୍ମଚାରୀମାନେ ଧାରଣା ଦେଇଥିଲେ। ପରେ ମେଡିକାଲ କର୍ତ୍ତୃପକ୍ଷ ଏବଂ କ୍ୟାପିଟାଲ ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ପ୍ରମୁଖ ତାଙ୍କୁ ବୁଝାସୁଝା କରିଥିଲେ। ଶେଷରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Share