Categories: ବାଣିଜ୍ୟ

କର୍ମଚାରୀଙ୍କୁ ଜୁନର ବେତନ ଦେଇପାରିବନି ବିଏସ୍‌ଏନ୍‌ଏଲ

ନୂଆଦିଲ୍ଲୀ,୨୫-୬: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କେନ୍ଦ୍ର ସରକାରଙ୍କୁ ଜରୁରୀ ପତ୍ର ପଠାଇ କମ୍ପାନୀର ଅପରେଶନ ଜାରି ରଖିବାକୁ ଅସମର୍ଥ ବୋଲି ଜଣାଇଛି। କର୍ମଚାରୀଙ୍କୁ ଜୁନର ଦରମା ଦେବାକୁ କମ୍ପାନୀ ନିଜର ଅକ୍ଷମତା ପ୍ରକାଶ କରିଛି। ଦରମା ବାବଦରେ ଆବଶ୍ୟକ ହେଉଥିବା ୮୫୦ କୋଟି ଟଙ୍କା କମ୍ପାନୀ ନିକଟରେ ନାହିଁ ବୋଲି ଏଥିରେ କୁହାଯାଇଛି। କମ୍ପାନୀ ଉପରେ ଏବେ ପ୍ରାୟ ୧୩ ହଜାର କୋଟି ଟଙ୍କାର ବକେୟା ରହିଛି। ଫଳରେ ବିଏସ୍‌ଏନ୍‌ଏଲ୍‌ର କାରବାର ଉପରେ ପ୍ରଭାବ ପଡିଛି। କମ୍ପାନୀର କର୍ପୋରେଟ ବଜେଟ ଆଣ୍ଡ୍‌ ବ୍ୟାଙ୍କିଙ୍ଗ ଡିଭିଜନର ସିନିୟର ଜେନେରାଲ ମ୍ୟାନେଜର ପୁରନ ଚନ୍ଦ ଟେଲିକମ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କୁ ପତ୍ର ଲେଖିଛନ୍ତି। ପ୍ରତିମାସରେ ରାଜସ୍ବ ଆୟ ଓ ଖର୍ଚ୍ଚ ଭିତରେ ବୃଦ୍ଧି ପାଉଥିବା ଅନ୍ତର ଯୋଗୁ କମ୍ପାନୀର ପରିଚାଳନା ଚିନ୍ତା ବଢ଼ାଇ ଦେଇଛି। କାରଣ ଏହା ଏବେ ଏପରି ପର୍ଯ୍ୟାୟରେ ପହଞ୍ଚତ୍ଛି ଯେ, ବିନା ଆର୍ଥିକ ସହାୟତାରେ ଆଉ କମ୍ପାନୀ ପରିଚାଳନା କରିବା ସମ୍ଭବ ନୁହେଁ। ବିଏସ୍‌ଏନ୍‌ଏଲ୍‌ର ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଅସମ୍ଭବ ହୋଇଛି।

Share