କର୍ମଚାରୀଙ୍କୁ ଦରମା ଦେବାକୁ କେନ୍ଦ୍ରକୁ ୫ ହଜାର କୋଟି ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀ ସରକାରଙ୍କ ପାଖରେ କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ। ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ୫ ହଜାର କୋଟିର ସହାୟତା ମାଗିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ମନୀଶ ସିସୋଡିଆ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି। କର୍ମଚାରୀଙ୍କ ଦରମା ପାଇଁ କେବଳ ୩,୫୦୦ କୋଟି ଟଙ୍କାର ଆବଶ୍ୟକ ରହିଥିବା ସେ ସୂଚିତ କରିଛନ୍ତି। ଏହା ସହିତ ରାଜ୍ୟର ଅନ୍ୟ ଅତ୍ୟାବଶ୍ୟକ ଖର୍ଚ୍ଚ ମଧ୍ୟ ରହିଥିବା ସେ କହିଛନ୍ତି। ଲକ୍‌ଡାଉନ୍‌ର ପ୍ରଭାବ ଦିଲ୍ଲୀର ରାଜସ୍ବ ସଂଗ୍ରହ ଉପରେ ଅଧିକ ପଡ଼ିଛି। ଗତ ୨ ମାସରେ ୫୦୦ କୋଟି ଟଙ୍କା ଲେଖାଏଁ ଜିଏସ୍‌ଟିରୁ ସଂଗ୍ରହ କରାଯାଇଛି। ଏହା ସହିତ ଅନ୍ୟ ରାଜସ୍ବ ମିଶିଲେ ୧,୭୩୫ କୋଟି ଟଙ୍କା ହେଉଥିବା ସେ ଚିଠିଲେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପାଖରେ କର୍ମଚାରୀଙ୍କ ଦରମା ପାଇଁ ଆବଶ୍ୟକ ଟଙ୍କା ନାହିଁ। ତେଣୁ କେନ୍ଦ୍ର ସରକାର ଏଭଳି ସଙ୍କଟ ସମୟରେ ୫ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ସିସୋଡିଆ ଅନୁରୋଧ କରିଛନ୍ତି।

Share