କର୍ମଚାରୀଙ୍କୁ ଦରମା ନ ଦେବା ଅଭିଯୋଗ: ସଫେଇ ସଂସ୍ଥା ମୁଖ୍ୟ ଗିରଫ

ବାରିପଦା ଅଫିସ, ୨୫ା୧୦- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଦୀର୍ଘ ଦିନ ହେବ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଆସୁଛି। ଏଥିନେଇ ବିଭିନ୍ନ ସମୟରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଆସୁଛନ୍ତି। ନିକଟରେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଗସ୍ତ ସମୟରେ ମଧ୍ୟ ସଫେଇ କର୍ମଚାରୀମାନେ ଏଭଳି ଅଭିଯୋଗ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ଏହାକୁ ଗୁରୁତର ସହିତ ନେଇ ବାରିପଦା ଉପଜିଲାପାଳଙ୍କ ନିର୍ଦ୍ଦେଶରେ ବାରିପଦା ତହସିଲଦାର ତଦନ୍ତ କରି ସଫେଇ ଦାୟିତ୍ୱରେ ଥିବା ସଂସ୍ଥା ବିରୋଧରେ ବାରିପଦା ଟାଉନ ଥାନାରେ ଗତ ୧୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୋଲିସ ଏକ ମାମଲା (ନଂ.୨୮୪ /୧୯) ରୁଜୁ କରିଛି। ସଫେଇ ଦାୟିତ୍ୱରେ ଥିବା ସୁମିତ ସିକ୍ୟୁରିଟିର ମୁଖ୍ୟ ପ୍ରସନ୍ନ କୁମାର ସାହୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ଏହି ଅଭିଯୋଗକୁ ଗିରଫ ସଫେଇ ସଂସ୍ଥା ମୁଖ୍ୟ ସାହୁ ଖଣ୍ଡନ କରିଛନ୍ତି। ସଫେଇ ବାବଦକୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ତାଙ୍କୁ କିଛି ବି ଟଙ୍କା ପଇଠ କରି ନ ଥିବା ବେଳେ ସେ ସମସ୍ତ ସଫେଇ କର୍ମଚାରୀଙ୍କୁ ଦରମା ପ୍ରଦାନ କରିଆସୁଛନ୍ତି। ତାଙ୍କ ନିକଟରେ ସମସ୍ତ ବ୍ୟାଙ୍କ ଷ୍ଟେଟମେଣ୍ଟ ରହିଛି ବୋଲି ସେ କହିଛନ୍ତି।