କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ କମ୍ପାନୀ ଦେଲା ୧୬ କୋଟି ଟଙ୍କା

ରାୟପୁର,୨୨।୧୧: ଛତିଶଗଡ କୋରବା ଜିଲାରେ ଥିବା ସାଉଥ ଇଷ୍ଟର୍ନ କୋଲଫିଲ୍ଡସ ଲିମିଟେଡ(ଏସ୍‌ଇସିଏଲ୍‌) ନିଜର ଜଣେ କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ ୧୬ କୋଟି ରାଶି ପ୍ରଦାନ କରିଛି। କମ୍ପାନୀରେ କାର୍ଯ୍ୟରତ ଥିବା ସତିଶ କୁମାର ରବି ନାମକ କର୍ମଚାରୀଙ୍କ ଝିଅ ସୃଷ୍ଟି ରାନୀ ଏସଏମ୍‌ଏ ରୋଗରେ ପୀଡିତ। ଏହା ଏକ ଦୁରାରୋଗ୍ୟ ହୋଇଥିବା ବେଳେ ଏହାର ଚିକିତ୍ସା ପଦ୍ଧତି ଖୁବ ବ୍ୟୟସାପେକ୍ଷ। ଏଥିନିମନ୍ତେ ଆବଶ୍ୟକ ହେଉଥିବା ଇଞ୍ଜେକସନ ବିଦେଶରେ ମିଳୁଥିବା ବେଳେ ତାହାର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା। ହେଲେ ଏତେ ଟଙ୍କା ଯୋଗାଡ କରିବା ପରିବାରର ସାମର୍ଥ୍ୟ ବାହାରେ ଥିଲା। ଜଣେ ସାଧାରଣ କର୍ମଚାରୀଙ୍କ ପକ୍ଷେ ଏତେ ଟଙ୍କା ଯୋଗା କରିବା ସମ୍ଭବ ନ ଥିଲା। ଏପରି କ୍ଷେତ୍ରରେ ସତିଶଙ୍କ ନିକଟରେ ତାଙ୍କ ଦୁଃଖ ସମୟରେ ଛିଡା ହୋଇଛି ତାଙ୍କ କମ୍ପାନୀ। କମ୍ପାନୀ ପକ୍ଷରୁ ଏହି ଟଙ୍କା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏପରିକି କମ୍ପାନୀ ପକ୍ଷରୁ ସତିଶଙ୍କୁ ୧୬ କୋଟିର ଚେକ ପ୍ରଦାନ କରାଯାଇଛି। ଏନେଇ କୋଲ ଇଣ୍ଡିଆ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ହିଁ ଅସଲ ସମ୍ପତ୍ତି ବୋଲି ସିଆଇଏଲ୍‌ ବିଶ୍ୱାସ କରେ। ଏହାକୁ ଆଖି ଆଗରେ ରଖି ଝିଅର ଚିକିତ୍ସା ପାଇଁ ସତିଶଙ୍କୁ ୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

Share