Categories: ଗଞ୍ଜାମ

କର୍ମଚାରୀ ସଂଘର ସାଧାରଣ ସଭା : ଚିନିଶିଳ୍ପ ବନ୍ଦ ଲାଗି ଚକ୍ରାନ୍ତ ଚାଲିଛି

ଆସିକା,୨୯ା୬ (ଡି.ଏନ୍‌.ଏ.) -ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ସାଧାରଣ ସଭା ଶୁକ୍ରବାର ଚିନିଶିଳ୍ପ ପରିସରରେ ଏଆଇଟିୟୁସି ନେତା ବିଦେଶୀ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ଏଆଇଟିୟୁସିର ରାଜ୍ୟ ସମ୍ପାଦକ ସୌରୀବନ୍ଧୁ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା, ଜିଲା ସଦସ୍ୟ ଅଳକାନାଥ ମିଶ୍ର, ସିପିଆଇ ଜିଲା ସମ୍ପାଦକ ପ୍ରକାଶ ପାତ୍ର, ନାରାୟଣ ଜେନା, ସନ୍ତୋଷ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର ଦାସ, ଚିନିଶିଳ୍ପ କର୍ମଚାରୀ ସଂଘ ସମ୍ପାଦକ ସହଦେବ ଜେନା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଚିନିଶିଳ୍ପ ଶ୍ରମିକ ସଙ୍ଗଠନ ପ୍ରତିଷ୍ଠାଠାରୁ ରହି ଆସିଥିବା ସଂଘର ସଭାପତି ପୂର୍ବତନ ଏମ୍‌ପି ଦ୍ୱିତୀକୃଷ୍ଣ ପଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ ସହ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସଂଘର ନୂତନ ସଭାପତି ଭାବେ ଯୁବନେତା ରାମକୃଷ୍ଣ ପଣ୍ଡାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ବୈଠକରେ ଶ୍ରମିକନେତାମାନେ ଚିନିଶିଳ୍ପର ସାମ୍ପ୍ରତିକ ସ୍ଥିତି ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସରକାର ରୀତିମତ ଭାବେ ସମସ୍ତ ସରକାରୀ ଉଦ୍ୟୋଗକୁ ଋଣ ଭାର ଓ ରୁଗ୍‌ଣ ଘୋଷଣା କରି ବିକ୍ରି କରୁଥିବା ନୀତିରେ ଏହି ଶିଳ୍ପ ପ୍ରତି ମଧ୍ୟ ଦୃଷ୍ଟି ଦେଉନଥିବା ଅଭିଯୋଗ କରାଯାଇଥିଲା। ଆସିକା ଚିନିଶିଳ୍ପକୁ ବନ୍ଦ କରିବା ଲାଗି ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏକ ବିଧିବଦ୍ଧ ଚକ୍ରାନ୍ତ ଚାଲିଥିବା ରାଜ୍ୟ ସମ୍ପାଦକ କର ଅଭିଯୋଗ କରିଥିଲେ। ଚିନିଶିଳ୍ପ ଶ୍ରମିକ ଓ କୃଷକ ସଙ୍ଗଠିତ ହୋଇ ଏଭଳି ଚକ୍ରାନ୍ତକୁ ପ୍ରତିହତ କରିବା ଲାଗି ସଂକଳ୍ପବଦ୍ଧ ହେବା ନିମନ୍ତେ ସେ ଆହ୍ବାନ ଦେଇଥିଲେ। ସରକାର ଭିତ୍ତିଭୂମିର ବିକାଶ ନ ଘଟାଇ ଚାଷୀଙ୍କୁ ସହାୟତା ଦେବା ଏକ ନିରର୍ଥକ ଯୋଜନା। ଚାଷ ଲାଗି ବିହନ, ସାର, ଜଳସେଚନ ବ୍ୟବସ୍ଥା, ଉତ୍ପାଦିତ ଦ୍ରବ୍ୟର ବଜାର ବ୍ୟବସ୍ଥା ସାଙ୍ଗକୁ ଶୀତଳଭଣ୍ଡାର ସ୍ଥାପନ ଦିଗରେ ତତ୍ପର ହେବାଲାଗି ସେ ଦାବି କରିଥିଲେ। ରାଜ୍ୟର ବିକାଶ ନିମନ୍ତେ ନିମ୍ନ ସ୍ତରରେ ରହିଥିବା ଶ୍ରମିକ, କୃଷକ ଓ ଖଟିଖିଆ ଜନସାଧାରଣଙ୍କ ଅର୍ଥନୈତିକ ବିକାଶ ବିନା ଏହି ବିକାଶର କୌଣସି ମୂଲ୍ୟ ନାହିଁ ବୋଲି ସେ ପ୍ରକାଶ କରିଥିଲେ। ସରକାର ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପକୁ ଅଧିକ ଆର୍ଥତ୍କ ସହାୟତା ଯୋଗାଣ ପୂର୍ବକ ଏହାର ଆଧୁନିକୀକରଣ ନିମନ୍ତେ ଯତ୍ନବାନ ହେବା ଲାଗି
ଦାବି କରାଯାଇଥିଲା।