ଗିରିଜାଶଙ୍କର ତରାସିଆ
ତାମିଲନାଡ଼ୁର କ୍ଷୁଦ୍ର ରାମେଶ୍ୱରମ୍ ଦ୍ୱୀପରୁ ରାଷ୍ଟ୍ରପତି ଭବନକୁ ଯାତ୍ରା। ୨୦୦୨ ଜୁଲାଇ ୨୫ରେ ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଏକାଦଶ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଡ. ଅବୁଲ ପାକିର ଜୈନୁଲ୍ଲାବ୍ଦିିନ ଅବଦୁଲ କଲାମଙ୍କ ନିମନ୍ତ୍ରଣକ୍ରମେ ତାଙ୍କର ୩୭ ଜଣ ପାରିବାରିକ ଅତିଥିଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଡ. କଲାମଙ୍କ ପୁରୁଣା ପଦାର୍ଥ ବିଜ୍ଞାନ ଶିକ୍ଷକ ପ୍ରଫେସର ଚିନ୍ନା ଦୁରାଇ, ରାମେଶ୍ୱରମ୍ ମନ୍ଦିରର ମୁଖ୍ୟ ପୂଜକ ଭେଙ୍କଟ ସୁବ୍ରମଣ୍ୟମ୍ ଶାସ୍ତ୍ରୀଗଲ, ରାମେଶ୍ୱରମ୍ ମସଜିଦ୍ର ଇମାମ ନୁରୁଲାଖୁଦା, ରାମେଶ୍ୱରମ୍ ଚର୍ଚ୍ଚର ରେଭେରେଣ୍ଡ ଏ.ଜି. ଲିଓନାର୍ଡ, ବିଖ୍ୟାତ ଚକ୍ଷୁ ବିଶେଷଜ୍ଞ ଡ. ଜି. ଭେଙ୍କଟସ୍ବାମୀ, ଓଡ଼ିଶାର ଗୌରବ ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସୋନାଲ ମାନସିଂହ। ଏତଦ୍ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୦୦ ଜଣ ଛାତ୍ର ନିମନ୍ତ୍ରିତ ଅତିଥିଭାବରେ ଯୋଗଦାନ କରିଥିଲେ। କ୍ଷମତାର ସର୍ବୋଚ୍ଚ ପାହାଚରେ ପହଞ୍ଚିଥିଲେ ମଧ୍ୟ ଡ. କଲାମ ନିଜ କ୍ଷୁଦ୍ର ଗାଁକୁ କଦାପି ପାସୋରି ଦେଇ ନ ଥିଲେ।
ନିଜକୁ ସାଂସାରିକ ବିବାହ ବନ୍ଧନରେ ବାନ୍ଧି ନ ଥିବା ଏହି ବିରଳ ନିରଳସ ଦେଶଭକ୍ତ ୧୯୩୧ ଅକ୍ଟୋବର ୧୫ରେ ପିତା ଜନାବ ଅବୁଲ ପାକିର ଜୈନୁଲ୍ଲାବ୍ଦିନ ଏବଂ ମାତା ଅସିଅମ୍ମାଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ। ଜୀବନରେ ବହୁ ପ୍ରତିକୂଳ ପରିସ୍ଥିତି ସହ ମୁକାବିଲା କରି ସେ ବିଶ୍ୱର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଥମ ନାଗରିକ ହେବାର ଗୌରବ ଅର୍ଜନ କରିଥିଲେ। ପାଠପଢ଼ିବା ପାଇଁ ପିଲାଦିନେ ତାଙ୍କୁ ଖବରକାଗଜ ବିକ୍ରି କରିବାକୁ ପଡ଼ିଥିଲା। ଏପରିକି ଭଉଣୀଙ୍କ ସୁନାଗହଣା ବିକ୍ରିକରି ସେ ପାଠପଢ଼ା ପାଇଁ ବ୍ୟୟ କରିଥିଲେ। ପିତା ଜନାବ ଜୈନୁଲ୍ଲାବ୍ଦିନ ନୌକା ଭଡ଼ାରେ ଲଗାଇ ସେଥିରୁ ଉପାର୍ଜିତ ଅର୍ଥରେ ପରିବାର ପ୍ରତିପୋଷଣ କରୁଥିଲେ। ୧୯୫୮ ମସିହାରେ ହିନ୍ଦୁସ୍ଥାନ ଏରୋନଟିକ୍ସରେ ଯୋଗଦାନ କରି ଡ. କଲାମ ତାଙ୍କର କର୍ମମୟ ଜୀବନ ଆରମ୍ଭ କଲେ। ୧୯୬୨ ମସିହାରେ ସେ ଇସ୍ରୋର ଜଣେ ବୈଜ୍ଞାନିକ ଭାବେ ଯୋଗଦାନ କଲେ। ତାଙ୍କର ଅଦମ୍ୟ ଚେଷ୍ଟା ଯୋଗୁ ପୋଖରାନ୍ (୨) ପରମାଣୁ ପରୀକ୍ଷା, ଏସ୍.ଏଲ୍.ଭି. ଉପଗ୍ରହ ନିର୍ମାଣ, ରୋହିଣୀ ଉପଗ୍ରହ ଉତ୍କ୍ଷେପଣ ସମ୍ଭବ ହୋଇପାରିଥିଲା। ତ୍ରିଶୂଳ, ନାଗ, ପୃଥ୍ବୀ, ଅଗ୍ନି, ଆକାଶ ଆଦି କ୍ଷେପଣାସ୍ତ୍ର ବିକାଶ ଦିଗରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ। ଏହି ମହାନ୍ ପ୍ରତିଭାଧରଙ୍କୁ ୧୯୯୦ ମସିହାରେ ପଦ୍ମବିଭୂଷଣ ଏବଂ ୧୯୯୭ରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଉପାଧିରେ ଭୂଷିତ କରାଯାଇଥିଲା।
ପିତାଙ୍କ ଅନୁଶାସନ ଏବଂ କଠୋର ସଚ୍ଚୋଟତା ଡ. କଲାମଙ୍କ ଜୀବନର ଛତ୍ରେ ଛତ୍ରେ ପ୍ରତିଫଳିତ ହେଉଥିଲା। ସେ ଗୋଟିଏ ଘଟଣାର ସ୍ମୃତିଚାରଣ କରି ତାଙ୍କ ପ୍ରସିଦ୍ଧ ଇଂଲିଶ ପୁସ୍ତକ ଟର୍ନିଂ ପଏଣ୍ଟସ୍ରେ ଉଲ୍ଲେଖ କରିଛନ୍ତି କି ଭାରତବର୍ଷ ସ୍ବାଧୀନତା ଲାଭ କରିବାର ଅଳ୍ପ କିଛିଦିନ ପରେ ୧୯୪୭ ମସିହାରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଲା। ରାମେଶ୍ୱରମ୍ ଗ୍ରାମ ପରିଷଦ ସଭାପତି ଭାବେ କଲାମଙ୍କ ପିତା ନିର୍ବାଚିତ ହେଲେ। ସେତେବେଳକୁ କଲାମ ବିଦ୍ୟାଳୟର ଜଣେ ଛାତ୍ର। ଆଗକୁ ପରୀକ୍ଷା ଥିବାରୁ ସେ ତାଙ୍କ ଦୁଆର କବାଟ ଅଧା ଆଉଜା କରି ପାଟିକରି ପାଠ ପଢୁଥାନ୍ତି। ଏହି ସମୟରେ ଜନୈକ ବ୍ୟକ୍ତି ହାତରେ ଗୋଟିଏ ଉପହାର ଧରି କଲାମଙ୍କ ପିତାଙ୍କୁ ସାକ୍ଷାତ କରିବା ନିମନ୍ତେ କଲାମ ପଢୁଥିବା କୋଠରିରେ ପ୍ରବେଶ କଲେ। ସେତେବେଳକୁ କଲାମଙ୍କ ପିତା ସାଂଧ୍ୟ୍ୟ ନମାଜ କରିବାକୁ ଯାଇଥିବାରୁ ଭଦ୍ରବ୍ୟକ୍ତି ଜଣକ ଉପହାରଟି ଖଟ ଉପରେ ଥୋଇଦେଇ ଚାଲିଗଲେ। କିଛି ସମୟ ପରେ କଲାମଙ୍କ ପିତା ଆସି ରୁପେଲି କାଗଜଗୁଡ଼ା ଉପହାର ପ୍ୟାକେଟଟି ଦେଖି କିଏ ଥୋଇଛି ବୋଲି ପଚାରିବାରୁ କଲାମ କହିଲେ ଜଣେ ବ୍ୟକ୍ତି ଥୋଇଦେଇ ଯାଇଛନ୍ତି। କଲାମଙ୍କ ପିତା ପ୍ୟାକେଟ ଖୋଲି ଦେଖନ୍ତି ତ ତା’ ଭିତରେ କିଛି ମୂଲ୍ୟବାନ ଲୁଗା, ରୁପାର କେତୋଟି କପ୍, କିଛି ଫଳ ଏବଂ କିଛି ମିଠା ରହିଛି। ଏହା ଦେଖି ତାଙ୍କ ପିତା କ୍ରୋଧଜର୍ଜରିତ ହୋଇ କଲାମଙ୍କୁ ଖୁବ୍ ମାଡ଼ ମାରିବାକୁ ଲାଗିଲେ। କଲାମ ସାନପୁଅ ହୋଇଥିବାରୁ ବାପା ଖୁବ୍ ଭଲ ପାଉଥିଲେ। ସେଦିନ ସେ ପ୍ରଥମ କରି ବାପାଙ୍କଠାରେ ଏପରି କ୍ରୋଧ ଦେଖିବା ସହିତ ତାଙ୍କଠାରୁ ନିର୍ମମ ପ୍ରହାର ଖାଇଥିଲେ। ଅନ୍ୟଠାରୁ ଉପହାର ଗ୍ରହଣ କରିବା ପାପ ବୋଲି ତାଙ୍କ ପିତା କଲାମଙ୍କୁ ଚେତାଇ ଦେଇଥିଲେ। ପିତାଙ୍କର ଏହି କଠୋର ନିୟମଟି ଡ. କଲାମ ଜୀବନର ଅନ୍ତିମ ସୋପାନ ପର୍ଯ୍ୟନ୍ତ ପାଳନ କରି କାହାଠାରୁ ଉପହାର ଗ୍ରହଣ କରୁ ନ ଥିଲେ। ଏହି ଜ୍ଞାନତପସ୍ବୀ, କର୍ମଯୋଗୀ ମହାନ୍ ସନ୍ଥ ଡ. କଲାମ ମେଘାଳୟର ରାଜଧାନୀ ଶିଲଂଠାରେ ୨୦୧୫ ଜୁଲାଇ ୨୭ରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ହୃଦ୍ଘାତର ଶିକାର ହୋଇ ଇହଲୀଳା ସମ୍ବରଣ କଲେ।
ଖଣ୍ଡପଡ଼ା, ନୟାଗଡ଼, ମୋ-୯୯୩୭୩୩୪୮୦୦