କର୍ମୀଙ୍କ ପାଇଁ ଫିଲ୍ମ ହଲ୍‌ ବୁକ୍‌ କରାଇଲେ ଅଖିଲେଶ

ଲକ୍ଷ୍ନୌ,୧୦।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛଫାକ୍‌’ ଶୁକ୍ରବାର ବଡ଼ ପରାଦାରେ ରିଲିଜ୍‌ ହୋଇଛି। ଜେଏନ୍‌ୟୁ ଛାତ୍ରଙ୍କୁ ଦୀପିକା ଭେଟିବା ପରେ ତାଙ୍କ ଫିଲ୍ମ ‘ଛପାକ’କୁ ନେଇ ବିବାଦ ଦେଖାଦେଇଥିଲା। ଫିଲ୍ମ ରିଲିଜ୍‌ ହେବ ନା ନାହିଁ ସେନେଇ ମଧ୍ୟ କଳ୍ପନାଜଳ୍ପନା ଲାଗିରହିଥିଲା। ଟୁଇଟରରେ ‘ବୟକଟ୍‌ ଛପାକ୍‌’ ଟ୍ରେଣ୍ଡ କରିଥିବା ବେଳେ ଏହାକୁ କେତେକ ରାଜନେତା ମଧ୍ୟ ବିରୋଧ କରିଥିଲେ। ତେବେ ବହୁ ବାଦବିବାଦ ପରେ ଶେଷରେ ଫିଲ୍ମଟି ରିଲିଜ୍‌ ହୋଇଛି। ଇତିମଧ୍ୟରେ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ଦୀପିକାଙ୍କୁ ସମର୍ଥନ ଜଣାଇ ନିଜ ଦଳର କର୍ମକର୍ତ୍ତାଙ୍କୁ ଏହି ଫିଲ୍ମ ଦେଖାଇବେ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ଲକ୍ଷ୍ନୌର ଏକ ସିନେମା ହଲ୍‌ ମଧ୍ୟ ବୁକ୍‌ କରିସାରିଛନ୍ତି। ଏନେଇ ଦଳର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସୂଚନା ଦିଆଯାଇଛି। ଅପରପକ୍ଷେ ଛତିଶଗଡ ଓ ମଧ୍ୟପ୍ରଦେଶରେ କଂଗ୍ରେସ ଶାସିତ ରାଜ୍ୟରେ ଛପାକ୍‌କୁ ଟ୍ୟାକ୍ସ ଫ୍ରି କରାଯାଇଛି।

Share