କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ଚମ୍ପୁଆ, ୨୯ା୧୧(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକପତ୍ର ଯୋଗାଣ ସହ ପ୍ରାକ୍‌ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନଂ ୱାର୍ଡ ଗୋଧୂଳିଠାରେ ଥିବା ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଘର ନ ଥିବାରୁ ଅଙ୍ଗନୱାଡି କର୍ମୀ ନିଜ ଘର ବାରଣ୍ଡାରେ ଏହାକୁ ଚଳାଉଛନ୍ତି। କୋଠରି ଅଭାବରୁ ଶିଶୁମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଗୋଧୂଳି ଗ୍ରାମର ବଙ୍କାସାହି, ଢିପାସାହି ଓ ଉପରସାହିର ୨୦ଜଣ ପିଲାଙ୍କୁ ନେଇ ଏହି ଅଙ୍ଗନୱାଡି- ୨ କେନ୍ଦ୍ର ପରିଚାଳିତ ହେଉଛି। ପ୍ରଥମେ ଏହି କେନ୍ଦ୍ର ମିଳିତ ଭାବେ ୧ ନଂ .ଅଙ୍ଗନୱାଡି କେନ୍ଦ୍ରରେ ଚାଲୁଥିଲା। ସ୍ଥାନାଭାବ କାରଣରୁ ଅଙ୍ଗନୱାଡି କେନ୍ଦ୍ର ଅଲଗା ହେବା ପରେ କର୍ମୀ ଓ ଗ୍ରାମବାସୀ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ା ସ୍ଥାନୀୟ ଅଭିଭାବକମାନେ ଏ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।