Categories: ଜାତୀୟ

କର୍‌ତାରପୁର କରିଡର:ପାକିସ୍ତାନ ଯିବେନି ମନମୋହନ

ନୂଆଦିଲ୍ଲୀ,୪-୧୦(ପି.ଟି.):କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଯୋଗଦେବେ। ତେବେ ସେ ପାକିସ୍ତାନ ଯିବେନି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସ୍ପଷ୍ଟ କରିଛନ୍ତି। ପ୍ରଥମ ସର୍ବଦଳୀୟ ପ୍ରତିନିଧିଙ୍କ ସହ କର୍‌ତାରପୁର ସାହିବ ଗୁରୁଦ୍ୱାରାରେ ଯୋଗଦେବା ପାଇଁ ମନମୋହନ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ତାଙ୍କର କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ପାକିସ୍ତାନ ଯିବାର କୌଣସି ଯୋଜନା ନାହିଁ। ପାକିସ୍ତାନ ଯିବା ଓ କରିଡର ଦେଇ ଗୁରୁଦ୍ୱାର ଯିବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ପାକିସ୍ତାନର ଆମନ୍ତ୍ରଣ ରକ୍ଷା କରି ମନମୋହନ ସେଠାକୁ ଯିବେ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଅମରିନ୍ଦର ଉପରୋକ୍ତ ସ୍ପଷ୍ଟୀକରଣ ଦେଇଛନ୍ତି। ଦେବଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ସହ ଐତିହାସିକ କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ଅମରିନ୍ଦର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କ ଆମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ନଭେମ୍ବର ୧୨ରେ ସୁଲତାନପୁର ଲୋଧିଠାରେ ମୁଖ୍ୟ କାର୍ଯ୍ୟକ୍ରମ ଏବଂ ଡେରା ବାବା ନାନକଙ୍କ ପୀଠରେ କର୍‌ତାରପୁର କରିଡର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅମରିନ୍ଦର ସେମାନଙ୍କୁ ଅନୁରୋଧ କରିଛନ୍ତି।

Share