Categories: ଜାତୀୟ

କର୍‌ତାରପୁର କରିଡର:ପାକିସ୍ତାନର ନୂଆ ଘୋଷଣାରୁ ଦ୍ୱନ୍ଦ୍ୱ

ଇସ୍‌ଲାମାବାଦ,୮-୧୧(ଆଇଏଏନ୍‌ଏସ୍‌):କର୍‌ତାରପୁର କରିଡରକୁ ନେଇ ପାକିସ୍ତାନ ସରକାରଙ୍କ ନୂଆ ଘୋଷଣା ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କର୍‌ତାରପୁର ଗୁରୁଦ୍ୱାର ଆସିବା ଲାଗି ଭାରତୀୟ ତୀର୍ଥଯାତ୍ରୀଙ୍କର ପାସ୍‌ପୋର୍ଟ ଆଣିବା ଆବଶ୍ୟକ ନାହିଁ ବୋଲି ପାକ୍‌ ବହିର୍ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏଥିସହିତ ୧୦ ଦିନ ଆଗରୁ ତୀର୍ଥଯାତ୍ରୀମାନଙ୍କ ନାଁ ଘୋଷଣା କରିବା ଆବଶ୍ୟକ ନାହିଁ। କରିଡର ଉଦ୍‌ଘାଟନ ଅବସରରେ ୯ ଓ ୧୦ ତାରିଖରେ ତୀର୍ଥଯାତ୍ରୀଙ୍କ ୨୦ ଡଲାର ସେବା ଟିକସକୁ ଛାଡ଼ କରାଯାଇଥିତ୍ବା ବହିର୍ବ୍ୟାପାର ବିଭାଗ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି। ଅନ୍ୟପକ୍ଷରେ କର୍‌ତାରପୁର ସାହିବ୍‌ ଗୁରୁଦ୍ୱାର ଆସିବାକୁ ଚାହୁଁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କୁ ପାସ୍‌ପୋର୍ଟ ଆଣି ଆସିବାକୁ ପଡିବ ବୋଲି ପାକ୍‌ ସେନା ପକ୍ଷରୁ କୁହାଯାଇଛି। ଇଣ୍ଟରସର୍ଭିସେସ୍‌ ପବ୍ଲିକ୍‌ ରିଲେଶନ୍ସର ମହାନିର୍ଦ୍ଦେଶକ ମେଜର ଜେନେରାଲ ଅସିଫ୍‌ ଗଫୁର ଟୁଇଟ୍‌ କରି ଏହା ଜଣାଇଛନ୍ତି। କର୍‌ତାରପୁର ଆସିବାକୁ ଚାହୁଁଥିବା ଭାରତୀୟ ଶିଖ୍‌ଙ୍କ ପାଇଁ ପାସ୍‌ପୋର୍ଟ ଆବଶ୍ୟକ ନାହିଁ ବୋଲି ପୂର୍ବରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ। ରାଜନେତା ନବଜୋତ୍‌ ସିଂ ସିଦ୍ଧୁ କର୍‌ତାରପୁର ଯିବା ଲାଗି ପାକିସ୍ତାନ ଭିଜା ଜାରି କରିଥିବା ଏହାର ବହିର୍ବ୍ୟାପାର ବିଭାଗ ମୁଖପାତ୍ର କହିଛନ୍ତି।
ଶନିବାର କର୍‌ତାରପୁର କରିଡର ଉଦ୍‌ଘାଟନ ହେବାକୁ ଯାଉଥିଲାବେଳେ ପାକିସ୍ତାନର ଭିନ୍ନ ଭିନ୍ନ ଘୋଷଣାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି। ତେଣୁ କରିଡରକୁ ନେଇ ସ୍ବାକ୍ଷରିତ ହୋଇଥିବା ଦ୍ୱିପାକ୍ଷିକ ବୁଝାମଣା ଅନୁଯାୟୀ ଭାରତ ସରକାର କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

Share