କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବ:ମନମୋହନଙ୍କୁ ଇମ୍ରାନ୍‌ଙ୍କ ନିମନ୍ତ୍ରଣ

ଇସ୍‌ଲାମାବାଦ,୧୧-୧୦:ନଭେମ୍ବରରେ ହେବାକୁ ଥିବା କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ପାକିସ୍ତାନ ନିମନ୍ତ୍ରଣ କରିଛି।
ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମହମ୍ମଦ ଫୈଜାଲ ଗୁରୁବାର କହିଛନ୍ତି, ନଭେମ୍ବର ୨ରେ କର୍‌ତାରପୁର କରିଡର୍‌ ଉଦ୍‌ଘାଟନ ହେବା ପାଇଁ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ଏହା କରାଯିବ। ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଆନୁଷ୍ଠାନିକ ଭାବେ ମନମୋହନ ସିଂଙ୍କୁ କର୍‌ତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। ପ୍ରକାଶ ଯେ, ଶିଖ୍‌ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପାଳନ ଅବସରରେ ନିର୍ମାଣାଧୀନ ଏହି କରିଡର ପଞ୍ଜାବର ଗୁର୍‌ଦାସପୁର ଜିଲା ଡେରା ବାବା ନାନକ ପୀଠ ସହ ପାକିସ୍ତାନର କର୍‌ତାରପୁରସ୍ଥିତ ଦରବାର ସାହିବକୁ ଯୋଡ଼ିବ। ସେଠାକୁ ଶିଖ୍‌ ଶ୍ରଦ୍ଧାଳୁମାନଙ୍କୁ ଭିଜାମୁକ୍ତ ଯାତ୍ରା ଅନୁମତି ଦେବା ପାଇଁ ପାକିସ୍ତାନ ରାଜି ହୋଇଛି। ପାକିସ୍ତାନ ପକ୍ଷରୁ ନିମନ୍ତ୍ରଣ ମିଳିନାହିଁ ଏବଂ ମନମୋହନ ସିଂ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇ ନ ପାରନ୍ତି ବୋଲି ପୂର୍ବରୁ ତାଙ୍କ ଅଫିସ ପକ୍ଷରୁ କୁହାଯାଇଥିଲା।

Share