କର୍‌ତାରପୁର ଗୁରୁଦ୍ୱାର ଗମ୍ବୁଜ ଭୁଶୁଡ଼ିଲା

ନୂଆଦିଲ୍ଲୀ/ଇସ୍‌ଲାମାବାଦ: ୨୦ା୪(ଆଇଏଏନ୍‌ଏସ୍‌): ଝଡ଼ବର୍ଷା ଯୋଗୁ କର୍‌ତାରପୁର ଗୁରୁଦ୍ୱାର ଦର୍‌ବାର ସାହିବର ୮ଟି ନବନିର୍ମିତ ଗମ୍ବୁଜ ଭୁଶୁଡ଼ିପଡ଼ିଛି। ଏହି ଘଟଣା ଶିଖ୍‌ମାନଙ୍କୁ ବ୍ୟଥିତ କରିଛି। ଭାରତ ସରକାର ଏ ସମ୍ପର୍କରେ ପାକ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହାର ମରାମତି କରିବା ଲାଗି ଅନୁରୋଧ କରିଛନ୍ତି। ଭାରତର ଗୁର୍‌ଦାସପୁରରେ ଥିବା ଡେରା ବାବା ସାହିବ ସହ ପାକିସ୍ତାନର କର୍‌ତାରପୁର ସାହିବକୁ ସଂଯୋଗ କରିବା ଲାଗି ଗତବର୍ଷ ନଭେମ୍ବରରେ କରିଡର ଉଦ୍‌ଘାଟିତ ହୋଇଥିଲା। ଉଭୟ ଦେଶର ଶିଖ୍‌ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କ ଯୋଡିବାରେ ଏହା ଏକ ଐତିହାସିକ ପଦକ୍ଷେପ ଥିଲା। କରିଡର ନିର୍ମାଣ କରି ଭାରତୀୟ ଶିଖ୍‌ ସମ୍ପ୍ରଦାୟଠାରୁ ସମର୍ଥନ ହାସଲ କରିବା ଥିଲା ପାକ୍‌ ସରକାରଙ୍କ ଉଦ୍ଦେଶ୍ୟ। ଶୁକ୍ରବାର ରାତି ଝଡ଼ବର୍ଷାରେ ଉକ୍ତ ଗୁରୁଦ୍ୱାର କ୍ଷତିଗ୍ରସ୍ତ ହେବା ଇମ୍ରାନ ଖାନ୍‌ ସରକାରଙ୍କ ପାଇଁ ବଡ଼ ଝଟ୍‌କା ବୋଲି କୁହାଯାଉଛି।

Share