କର ଦେବାରେ ହିଁ କରଦାତାଙ୍କ ଉନ୍ନତି

ଭାରତୀୟ ଅର୍ଥ ବ୍ୟବସ୍ଥା ମଜଭୁତ ପାଇଁ ସରକାର କିପରି ପ୍ରତିଶ୍ରୁତିବଦ୍ଧ ତାହା ଅର୍ଥମନ୍ତ୍ରୀ ସୀତାରାମନ ମହାକବି କାଳୀଦାସଙ୍କ ମହାକାବ୍ୟ ‘ରଘୁବଂଶମ୍‌’ର ପ୍ରଥମ ସର୍ଗର ୧୮ତମ ଶ୍ଳୋକକୁ ଉଦାହରଣ ଦେଇ ବୁଝାଇଥିଲେ। ଶ୍ଳୋକର ବାଖ୍ୟାକରି ଅର୍ଥମନ୍ତ୍ରୀ କହିଥିଲେ, ବର୍ଷା ରୂପରେ ହଜାରେ ଗୁଣା ପାଣି ଫେରାଇବା ପାଇଁ ସୂର୍ଯ୍ୟ ଯେମିତି ପୃଥବୀପୃଷ୍ଠର ଛୋଟ ଛୋଟ ଜଳକଣିକାରୁ ଖୁବ୍‌ କମ୍‌ ଜଳୀୟବାଷ୍ପ ସଂଗ୍ରହ କରି ଏକାଠି କରେ, ସେହିପରି ରଘୁବଂଶୀ ରାଜାମାନେ ମଧ୍ୟ ପ୍ରଜାମାନଙ୍କ ହିତ ପାଇଁ ସେମାନଙ୍କ ଠାରୁ ଖୁବ୍‌ କମ୍‌ ପରିମାଣର କର ଆଦାୟ କରୁଥିଲେ। ଉଭୟେ ସୂର୍ଯ୍ୟ ଓ ରାଜାଙ୍କ ଏପରି କାର୍ଯ୍ୟ ପଛରେ ଜନସାଧାରଣଙ୍କ ମଙ୍ଗଳ ହିଁ ନିହିତ ଥିବା ଭଳି ଭାରତ ସରକାର ମଧ୍ୟ ଅର୍ଥନୀତିକୁ ଦୃଢ଼ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ନିବେଶ ପାଇଁ ଭାରତ ଏବେ ସର୍ବୋତ୍କୃଷ୍ଟ ସ୍ଥାନ ପାଲଟିଛି। ଅନେକ ନିବେଶକ ନିବେଶ ପାଇଁ ଆକର୍ଷିତ ହେଉଛନ୍ତି। ଏହାକୁ ନଜରରେ ରଖି କର୍ପୋରେଟ ଟେକ୍ସ କମାଇବା ଭଳି ଐତିହାସିକ ପଦକ୍ଷେପ ନିଆଯାଉଛି। ଏହା କମ୍ପାନୀଗୁଡ଼ିକର ବ୍ୟବସାୟକୁ ଅଧିକ ଦୃଢ଼ କରିବ। ଯଦିଓ ଏହାଦ୍ୱାରା ଦେଶ ରାଜସ୍ବ ହରାଇବ, ତଥାପି ଅର୍ଥବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଥିବା ଅର୍ଥମନ୍ତ୍ରୀ ସୀତାରାମନ ପ୍ରକାଶ କରିଥିଲେ।

Share