କଲଣ ହାଟରେ କରୋନା କଟକଣା ବାଟବଣା

ରସୁଲପୁର,୯।୪(ଡିଏନଏ)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। କରୋନା ପାଇଁ ହାଟଗୁଡିକ ଉପରେ ପ୍ରଶାସନ ବିଶେଷ ଦୃଷ୍ଟି ଦେଉଛି। ପ୍ରଶାସନ ହାଟରେ ସାମାଜିକ ଦୂରତା ଓ ସଂଗରୋଧକୁ ଠିକ୍‌ଭାବେ ପରିଚାଳନା କରିବା ପାଇଁ ପ୍ରୟାସ କରି ନୟାନ୍ତ ହେଲାଣି। ଗାଁ ଗହଳିରେ ଥିବା ହାଟଗୁଡିକରେ ଏବେ ବି କରୋନା କଟକଣା ପାଳନ ହେଉ ନ ଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଏହି ବ୍ଲକ କଲଣ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି। ଗୁରୁବାର ସକାଳେ ବସିଥିବା ଏହି ହାଟରେ ସାମାଜିକ ଦୂରତା, ସଂଗରୋଧ, ମୁହଁରେ ମାସ୍କ ନ ପିନ୍ଧିବା, ହାଟକୁ ବାଇକରେ ଆସିବା ଭଳି ଆଇନ ଉଲ୍ଲଂଘନ ହୋଇଛି। ତେଣେ ପ୍ରଶାସନିକ ଅଧିକାରୀମାନେ ବ୍ରହ୍ମବରଦା ଅଞ୍ଚଳ ପାଇଁ ଅଧିକ ସମୟ ଦେଉଛନ୍ତି। ଏହି ଅବସରରେ ଗାଁ ଗହଳିର ହାଟ ପ୍ରତି ବିଶେଷ ନଜର ରହିପାରୁ ନାହିଁ ବୋଲି କୁହାଯାଉଛି। ଏହାକୁ ସୁଯୋଗ ବୋଲି ମନେକରି ଆଖପାଖ ଅଞ୍ଚଳର ଚାଷୀ ଓ ବ୍ୟବସାୟୀମାନେ ବେପାର କରିବାର ସୁଯୋଗ ସୃଷ୍ଟି କରୁଛନ୍ତି। ମାତ୍ର ବେପାର କରିବା ସମୟରେ କରୋନା କଟକଣାକୁ ସମ୍ପୂର୍ଣ୍ଣଭାବେ ଅଣଦେଖା କରୁଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। କଲଣଠାରୁ ମାତ୍ର ୪ କି.ମି. ଦୂରରେ ବାରବାଟୀ ଦୈନିକ ପରିବା ହାଟ ଥିବାବେଳେ ଏଭଳି ଏକ ଘଡସନ୍ଧି ମୁହୂର୍ତ୍ତରେ କଲଣ ଭଳି ଏକ ଗ୍ରାମାଞ୍ଚଳ ହାଟରେ କାହିଁକି ରୋକ ଲଗାଯାଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ସାପ୍ତାହିକ ହାଟ ସୋମବାର ଓ ଗୁରୁବାର ବସୁଥିବାବେଳେ ସକାଳୁ ହାଟରେ କରୋନା କଟକଣା ପାଳନ ହେଉ ନ ଥିବା ଦେଖି କୁଆଖିଆ ପୋଲିସ ହାଟସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ଘଉଡାଇ ଥିଲା ଏବଂ ହାଟକୁ ନିକଟସ୍ଥ ପଡିଆକୁ ସ୍ଥାନାନ୍ତର କରିଥିଲା। ପରବର୍ତ୍ତୀ ସମୟରେ ଯଦି ସାମାଜିକ ଦୂରତା, ସଂଗରୋଧ ଆଦି କଟକଣା ପାଳନ ନ ହୁଏ ତେବେ ହାଟ ବନ୍ଦ କରିଦିଆଯିବ ବୋଲି ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ଚେତାବନୀ ଦେଇଛନ୍ତି।