ପାଟଣା,୧୯ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ଖିରେଇଟାଙ୍ଗିରି ନିକଟରେ ଏକ କଲଭର୍ଟ ତଳୁ ଗୁରୁବାର ସକାଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଚିଲିଦା ଗ୍ରାମର ପ୍ରଦୀପ କୁମାର ମହାନ୍ତ। ସେ ଚେନ୍ନାଇରେ ଏକ ଘରୋଇ କମ୍ପାନିରେ ଗାଡ଼ିଚାଳକ ଭାବରେ କାର୍ଯ୍ୟ କରୁଥିଲେ। ବୁଧବାର ସେ ଘରକୁ ଫେରୁଥିଲେ। ତେବେ ଆଜି ସକାଳୁ ତାଙ୍କର ମୃତଦେହ ରାସ୍ତାକଡ଼ ଏକ କଲଭର୍ଟ ତଳୁ ଉଦ୍ଧାର ହୋଇଛି। ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଏଠାରେ ପକାଇ ଦେଇଛନ୍ତି କିମ୍ବା ଅଜଣା ଗାଡ଼ି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡ଼ିନାହିଁ। ପରିବାର ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟା କହୁଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।