କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!

ମୁମ୍ବାଇ,୩।୫: କରୋନା ଲକ୍‌ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ ଏକ ପ୍ରକାର ନିଜର ଅସ୍ତିତ୍ୱ ହରାଇଥିବା ଦୂରଦର୍ଶନ ଏବେ ପୁଣିଥରେ ଲୋକଙ୍କ ପ୍ରିୟ ଚ୍ୟାନେଲ ପାଲଟି ଯାଇଛି। ଲକ୍‌ଡାଉନ ସମୟରେ ଦୂରଦର୍ଶରେ ପ୍ରସାରିତ ‘ରାମାୟଣ’ ଓ ‘ମହାଭାରତ’ ଧାରାବାହିକ ଟିଆର୍‌ପି ଦୌଡରେ ରେକର୍ଡ କରିଛି। ଏବେ କଲର୍ସ ଚ୍ୟାନେଲ ବି ଆର୍‌ ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ ପ୍ରସାରଣ କରିବାକୁ ଏହାକୁ କିଣି ସାରିଥିବା ସୂଚନା ମିଳିଛି। ଏହି ଧାରାବାହିକ ସୋମବାରଠାରୁ ପ୍ରତିଦିନ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ୨ ଘଣ୍ଟା ପାଇଁ ପ୍ରସାରଣ କରାଯିବ ବୋଲି ଶୁଣିବାକୁ ମିଳିଛି। ପ୍ରାଇମ ଟାଇମରେ ଏହି ଧାରାବାହିକକୁ ପ୍ରସାରଣ କରି ଦର୍ଶକଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଏହି ଘରୋଇ ଚ୍ୟାନେଲ ଚେଷ୍ଟା କରୁଛି ବୋଲି କୁହାଯାଉଛି। ଏହା ପ୍ରଥମଥର ପାଇଁ ଦେଖିବାକୁ ମିଳିଛି ଯେ କୌଣସି ଚ୍ୟାନେଲରେ ପ୍ରସାରିତ ହୋଇଥିବା ଧାରାବାହିକକୁ ଆଉ ଏକ ଚ୍ୟାନେଲ କ୍ରୟ କରିଛି। ଚ୍ୟାନେଲ ପକ୍ଷରୁ କୁହାଯାଇଛି କି ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଟେଲିଭିଜନ ଦୁନିଆରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ସମୟରେ ଲୋକଙ୍କ ମନରେ ଅଧିକ ପରିମାଣରେ ଧାର୍ମିକ ଭାବନା ଦେଖାଦେଇଛି। ଏହାରି ମାଧ୍ୟମରେ ସେମାନେ କିଛି ଶାନ୍ତି ବି ପାଇ ପାରୁଛନ୍ତି। ସେଥିପାଇଁ କଲର୍ସରେ ‘ମହାଭାରତ’ ଧାରାବାହିକ ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Share