କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ ରହିଛି। ୩ ଘଣ୍ଟା ବ୍ୟାଟେରୀ ଚାର୍ଜ ହେଲେ ୪୦ କି.ମି. ପର୍ଯ୍ୟନ୍ତ ଯାଉଛି। ମୋବାଇଲ ଚାର୍ଜ କରିବାର ମଧ୍ୟ ସୁବିଧା ଅଛି। ଏହାକୁ ବ୍ୟବହାର କଲେ ପରିବେଶ ପ୍ରଦୂଷିତ ହେବ ନାହିଁ। ଖର୍ଚ୍ଚ ମଧ୍ୟ କମ୍‌ ରହିବ। ଏଥି ପାଇଁ ନୂଆ ମୋଟର ଯାନ ଆଇନ ପ୍ରଯୁଜ୍ୟ ନୁହେଁ। ପୁଣି ହେଲମେଟ୍‌ ଆବଶ୍ୟକତା ନାହିଁ। ଏହାକୁ ତିଆରି କରିଛନ୍ତି ଖୋର୍ଦ୍ଧା ବ୍ଲକ ହଳଦିଆ କଲେଜରେ ପଢୁଥିବା ବେଗୁନିଆ ବ୍ଳକ କଣ୍ଟାବାଡ ଗ୍ରାମର ଛାତ୍ର ରାକେଶ କୁମାର ଦାସ।
ପିଲାଟି ଦିନରୁ କିଛି ନୂଆ କରି ଚର୍ଚ୍ଚାରେ ରହିବାକୁ ଚାହୁଁଥିଲେ ରାକେଶ। ତେବେ ସମୟ ସହଯୋଗ ଦେଉ ନ ଥିଲା। ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଭାଙ୍ଗିପଡ଼ିଥିଲେ। କିଛି ଦିନ ପରେ ତାଙ୍କ ମନରେ ଉଦ୍ଭାବନର ଚିନ୍ତା ଉଙ୍କି ମାରିଥିଲା। ବୈଦ୍ୟୁତିକ ଉପକରଣକୁ ନେଇ ନୂଆ କିଛି କରିବାର ନିଶାରେ ବ୍ୟାଟେରୀଚାଳିତ ସାଇକେଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। କଲେଜର ସହପାଠୀମାନେ ତାଙ୍କୁ ସହଯୋଗର ହାତ ବଢ଼ାଇ ଉତ୍ସାହିତ କଲେ। ତାଙ୍କୁ ପରିବାରର ସମର୍ଥନ ମଧ୍ୟ ମିଳିଲା। ୧ ମାସର ପରିଶ୍ରମ ପରେ ସେ ସଫଳତା ପାଇଲେ। ୩ ହଜାର ଟଙ୍କାର ସାଇକେଲରେ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହା କରାଗଲେ ସାଇକେଲ ବାଇକ ପରି ଦୌଡୁଛି। ଯଦି ବ୍ୟାଟେରୀ ସରିଯିବ ତା’ହାଲେ ଚିନ୍ତା କରିବାର କିଛି ନାହିଁ। ପେଡାଲ ମାରି ସାଇକେଲ ଚଳାଇ ହେବ। ସାଇକେଲରେ ୧୨ ଭୋଲ୍ଟର ୨ଟି ଲିଥିୟମ ଆୟନ ବ୍ୟାଟେରୀ ସହ ୨୫୦ ଓ୍ବାଟର ଗିୟର ମୋଟର, ହେଡ୍‌ ଲାଇଟ୍‌, ହନର୍ର୍, ଆକ୍ସିଲେଟର, ବ୍ରେକ ଲାଗିଛି। ଏହି ସାଇକେଲ ପାଇଁ ରାକେଶଙ୍କ ଖୁସି କହିଲେ ନ ସରେ। ସହପାଠୀ, ଗ୍ରାମବାସୀ ଓ ପରିବାର ଲୋକଙ୍କ କ୍ଷେତ୍ରରେ ମଧ୍ୟ ଏହି ସାଇକେଲ ପ୍ରତି ଆଗ୍ରହ ଦେଖିବାକୁ ମିଳୁଛି। ଆଗକୁ ସାଇକେଲରେ ବ୍ୟାଟେରୀ ବଦଳରେ ସୋଲାର ବ୍ୟବହାର କରିବେ, ଏଥିପାଇଁ ଅର୍ଥ ବାଧକ ହେଉଥିଲେ ମଧ୍ୟ ସେ ଅଟକିଯିବେ ନାହିଁ ବୋଲି ରାକେଶ କହିଛନ୍ତି। ତେବେ ସରକାରୀ ସହାୟତା କିମ୍ବା କୌଣସି ସଂସ୍ଥା ପକ୍ଷରୁ ପ୍ରୋତ୍ସାହନ ମିଳିଲେ ତାଙ୍କ ସ୍ବପ୍ନ ସହଜରେ ସାକାର ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି।

ଲୋକନାଥ ମିଶ୍ର

Share