କଲେଜ ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷଙ୍କ ବିୟୋଗ

ଭଞ୍ଜନଗର,୨୬ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅମୂଲ୍ୟ ଦାସ (୫୯)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି। ପ୍ରତିଷ୍ଠା ଦିବସ ସରିବା ପରେ ସେ ଘରକୁ ଯିବାକୁ ବାହାରୁଥିବାବେଳେ ପଡିଯାଇ ମୃତ୍ୟୁ ଘଟିଛି। ଏହି ଖବର ରାତିରେ କ୍ଷତ୍ରିୟବପୁରରେ ପହଞ୍ଚତ୍ବାପରେ ସମଗ୍ର ଭଞ୍ଜନଗର ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ତାଙ୍କର ଅକାଳ ବିୟୋଗରେ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ଶୁକ୍ରବାର କ୍ଷତ୍ରିୟବରପୁର କଲେଜର ୩୬ତମ ପ୍ରତିଷ୍ଠା ଦିବସ ଥିଲା। ଅତିଥିମାନେ ବିଳମ୍ବରେ ଆସିବାରୁ ସଭା ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ୫ଟାରେ ସଭା ସରିବା ପରେ ଅଧ୍ୟକ୍ଷ ଦାସ ଓ ବେଲଗୁଣ୍ଠା ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ ଓ ଅନ୍ୟମାନେ କଲେଜ ସମ୍ମୁଖରେ ଠିଆହୋଇ କଥା ହେଉଥିଲେ। କିଛିସମୟ ପରେ ଅଧ୍ୟକ୍ଷ ଦାସ ଘରକୁ ଯିବାକୁ ବାହାରୁଥିବାବେଳେ ହଠାତ୍‌ ତଳେ ପଡିଯାଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରଶାନ୍ତ ଓ ଅନ୍ୟମାନେ ତାଙ୍କୁ ଗୋବରା ମେଡ଼ିକାଲକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଅମୂଲ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଅମୂଲ୍ୟ ଜଣେ ଶିକ୍ଷାବିତ ଓ ସାମାଜିକକର୍ମୀ ଭାବେ ରାଜ୍ୟରେ ପରିଚିତ ଥିଲେ। ସେ ବହୁବାର ଜାତୀୟ ଓ ରାଜ୍ୟସ୍ତରରେ ସେବାପାଇଁ ସମ୍ମାନିତ ମଧ୍ୟ ହୋଇଥିଲେ।

Share