Categories: ଗଞ୍ଜାମ

କଲ୍ୟାଣ ମଣ୍ଡପକୁ ବିଶ୍ୱବିଦ୍ୟାଳୟ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର ଅଫିସ,୨୦।୭ : ଗଞ୍ଜାମ ଜିଲା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ସହର ଉପକଣ୍ଠ କନିସିସ୍ଥିତ ଏକ କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଯାଇଛି। ଗାଡ଼ିରେ ବିଶ୍ୱବିଦ୍ୟାଳୟର ଆସବାବପତ୍ର ଏବଂ ଅନ୍ୟାନ୍ୟ ଜିନିଷ ଶନିବାର ସ୍ଥାନାନ୍ତର କରାଯାଇଛି। ୨୦୧୫ ମସିହାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଥିଲା। କିନ୍ତୁ ଭିତ୍ତିଭୂମି ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଅସ୍ଥାୟୀ ଭାବେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟ ଚାଲିଲା। ପରବର୍ତ୍ତୀ ସମୟରେ ବିଶ୍ୱବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିିର୍ମାଣ ପାଇଁ ପାଲୁର ହିଲଠାରେ ୨୦ ଏକର ଜମି ଚିହ୍ନଟ ହୋଇଛି। କିନ୍ତୁ ପାଣି ଅଭାବ ଯୋଗୁଁ କ୍ୟାମ୍ପସ ନିର୍ମାଣ ହୋଇପାରିନି। ଅନ୍ୟପଟେ ୨୦୧୮ ମସିହାରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ବ୍ୟାଚ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଆସ୍ଥାୟୀ କ୍ୟାମ୍ପସରେ ଜାଗାର ଅଭାବ ଥିବା ଯୋଗୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଭଡ଼ା ଘର ଖୋଜାଯାଇଥିଲା। କନିସିଠାରେ ଥିବା ଜି ମାକ୍ସ କଲ୍ୟାଣ ମଣ୍ଡପକୁ ଚିହ୍ନଟ କରାଯାଇଥିଲା। ମାସିକ ୮ ଲକ୍ଷ ୨୫ ହଜାର ଟଙ୍କାରେ କଲ୍ୟାଣ ମଣ୍ଡପକୁ ଭଡ଼ାରେ ନିଆଯାଇଛି। ତେବେ ଘରୋଇ କଲ୍ୟାଣ ମଣ୍ଡପରେ ବିଶ୍ୱବିଦ୍ୟାଳୟ ଚଳାଇବାକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିଲା। ତଥାପି ଶନିବାରଠାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।