କଳଙ୍କ ଲାଗିଯିବା ଭୟରେ ବିଧାନସଭା ବନ୍ଦ କରି ଦିଆଗଲା: କଂଗ୍ରେସ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସରକାରଙ୍କ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯିବା ପ୍ରସଙ୍ଗ ସହ ୧୭ ଦିନ ପୂର୍ବରୁ ବିଧାନସଭା ଶୀତ ଅଧିବେଶନକୁ ବନ୍ଦ କରାଯିବାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଉଭୟ ଭାଜପା ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି, ମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ଦେଇପାରିଲେ ନାହିଁ। ତାଙ୍କ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସ୍ପଷ୍ଟୀକରଣ ଦେଲେ। ମନ୍ତ୍ରୀଙ୍କ ଗସ୍ତ ପାଇଁ କେଉଁ ସଂସ୍ଥା କେଉଁ ଆକାଉଣ୍ଟରୁ ଟଙ୍କା ଦେଇଥିଲା ବୋଲି ପୁଣି ପ୍ରଶ୍ନ କରିଛନ୍ତି। ଏହାର ସ୍ପଷ୍ଟୀକରଣ ନ ଦେଲେ ଏଥିରେ ସାମିଲ ପ୍ରଶଂସକଙ୍କ ନାମ ଖୋଲାଯିବ ବୋଲି ସେ କହିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉପରେ କଳଙ୍କ ଲାଗିଯିବା ଭୟରେ ବିଧାନସଭା ବନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ପ୍ରକାଶଯୋଗ୍ୟ, ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୧୯ ଯାଏ ଚାଲିବାକୁ ଧାର୍ଯ୍ୟ କରାଯାଇଥିଲା। ଏଥିରେ ମୋଟ ୩୦ଟି କାର୍ଯ୍ୟଦିବସ ଥିଲା। ସେଥିରୁ ୨୫ଟି ସରକାରୀ ଓ ୫ଟି ବେସରକାରୀ କାର୍ଯ୍ୟ ଦିବସ ରହିଥିଲା। ତେବେ ୧୭ଦିନ ଆଗରୁ ଏହି ଅଧିବେଶନକୁ ବନ୍ଦ କରାଯାଇଛି। ଏହି ଅଧିବେଶନରେ ମୋଟ ୧୩ଟି କାର୍ଯ୍ୟଦିବସରେ ସୀମିତ ରହିଛି। ସେଥିରୁ ୧୨ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ଅନୁଷ୍ଠିତ ହୋଇଛି।

Share