କଳାକାରଙ୍କ ବକେୟା ପାଉଣା ଦେଲା ସଂସ୍କୃତି ବିଭାଗ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କଳାକାରଙ୍କ ବକେୟା ପାଉଣା ଗୁରୁବାର ପ୍ରଦାନ କରାଯାଇଛି। ୨୦୧୯ ଆର୍ଥିକ ବର୍ଷରେ ଆୟୋଜିତ ହୋଇଥିବା ବିଭିନ୍ନ ସାଂସ୍କୃତିକ, ସାରସ୍ବତ କାର୍ଯ୍ୟକ୍ରମଗୁଡ଼ିକର ବାକିଥିବା ପାଉଣା ତୁରନ୍ତ ପ୍ରଦାନ କରିବାକୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅର୍ଥ ମଞ୍ଜୁରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତ୍ୱରିତ ପଦକ୍ଷେପ ନେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସମ୍ମତି ପ୍ରକାଶ କରିବା ପରେ ତାଲିକାଭୁକ୍ତ ସମସ୍ତ ଅନୁଷ୍ଠାନଗୁଡ଼ିକର ବକେୟା ପାଉଣା ପଇଠ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁଷ୍ଠାନଗୁଡ଼ିକ ନିଜ ନିଜର ବ୍ୟାଙ୍କ୍‌ ଖାତା ଯାଞ୍ଚ କରି ଅର୍ଥପ୍ରାପ୍ତି ସମ୍ବନ୍ଧରେ ଅବଗତ ହେବାପାଇଁ କୁହାଯାଇଛି। କରୋନା ପାଇଁ କୌଣସି ନୂତନ କାର୍ଯ୍ୟକ୍ରମ କରାଯିବ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଜନସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମ, ଥିଏଟର୍‌, ଡ୍ରାମା, ନୃତ୍ୟ ପରିବେଷଣ ଓ ସଙ୍ଗୀତ ସମାରୋହ ଭଳି ସମସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣଭାବେ ବାରଣ କରାଯାଇଛି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଭାଗୀୟ ୱେବ୍‌ସାଇଟ୍‌(http://odishaculture.in)ରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଥିବା ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଛନ୍ତି।

Share