Categories: ବାଣିଜ୍ୟ

କଳାଧନ ନେଇ ଏଚ୍‌ଏସ୍‌ବିସି ତାଲିକା;ଏନ୍‌ଆର୍‌ଆଇ ମାନ୍ୟତାକୁ ଢ଼ାଲ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୯-୫: ଏଚ୍‌ଏସ୍‌ବିସିସ ତାଲିକାରେ ସାମିଲ ହୋଇଥିବା ଧନୀ ଭାରତୀୟ ଜରିମାନା ଏବଂ ସମ୍ଭବତଃ ମକଦ୍ଦମାରୁ ନିଜକୁ ରକ୍ଷା କରିବା ଲାଗି ଏବେ ନିଜର ଏନ୍‌ଆର୍‌ଆଇ ମାନ୍ୟତା(ପ୍ରବାସୀ ଭାରତୀୟ)କୁ ଢ଼ାଲ କରିବା ଆରମ୍ଭ କରିଛନ୍ତି। ଏଚ୍‌ଏସ୍‌ବିସିରେ ଆକାଉଣ୍ଟ ଖୋଲିବା ବେଳେ ସେମାନେ ଏନ୍‌ଆର୍‌ଆଇ ଥିଲେ ବୋଲି ଏହି ଭାରତୀୟମାନେ ସୁଇଜରଲାଣ୍ଡକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ସୁଇସ୍‌ ବ୍ୟାଙ୍କରେ ଜମା କରିଥିବା କଳାଧନ ସମ୍ପର୍କରେ ତଥ୍ୟ ପ୍ରଦାନ ବେଳେ ଆକାଉଣ୍ଟଧାରୀ ଭାରତୀୟମାନେ ନିଜର ପୁରୁଣା ପାସ୍‌ପୋର୍ଟ ସୁଇସ୍‌ ଅଧିକାରୀଙ୍କ ନିକଟରେ ଜମା କରିବା ଆରମ୍ଭ କରିଛନ୍ତି। ସେମାନେ ୧୮୨ ଦିନରୁ ଅଧିକ ସମୟ ଭାରତ ବାହାରେ ଥିଲେ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ସେମାନେ ନିଜକୁ ଏନ୍‌ଆର୍‌ଆଇ ଭାବେ ପ୍ରତିଷ୍ଠିତ କରିବା ଏବଂ ସେମାନଙ୍କ ବିରୋଧରେ କୌଣସି ମାମଲା ନ ଥିବା ଏହି ଭାରତୀୟମାନେ ଏବେ ସୁଇସ୍‌ ସରକାରଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ଏହି ତଥାକଥିତ ଧନୀ ଭାରତୀୟମାନେ ସୁଇଜରଲାଣ୍ଡର ଓକିଲଙ୍କୁ ନିଯୁକ୍ତ କରୁଛନ୍ତି। ସୂଚନାଥାଉ କି, ଏନ୍‌ଆର୍‌ଆଇଙ୍କ ବିଦେଶରେ ହୋଇଥିବା ଆୟ ଉପରେ ଭାରତରେ ଟିକସ ଲାଗି ନ ଥାଏ। ୨୦୧୧ ଏପ୍ରିଲ ପହିଲାରେ ଭାରତ ଓ ସୁଇଜରଲାଣ୍ଡ ମଧ୍ୟରେ ଚୁକ୍ତି ହୋଇଥିଲା। ଏହା ପୂର୍ବରୁ ବନ୍ଦ ହୋଇ ନ ଥିବା ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ସୁଇଜରଲାଣ୍ଡ ସୂଚନା ଦେବ।

Share