Categories: ବାଣିଜ୍ୟ

କଳାଧନ ବିରୋଧରେ ଲଢ଼େଇ; ଆଜିଠୁ ମିଳିବ ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ତଥ୍ୟ

ନୂଆଦିଲ୍ଲୀ,୧-୯: ମୋଦି ସରକାରଙ୍କ କଳାଧନ ବିରୋଧରେ ଲଢ଼େଇ ଆହୁରି ଜୋର୍‌ଦାର ହେବାକୁ ଯାଉଛି। ରବିବାରଠାରୁ ସୁଇସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ତଥ୍ୟ ସିଧାସଳଖ ଆୟକର ବିଭାଗ ନିକଟରେ ପହଞ୍ଚତ୍ବ। ଭାରତ ଓ ସୁଇଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ୍‌ ସୂଚନା ସ୍ବତଃ ଆଦାନପ୍ରଦାନ ଚୁକ୍ତି ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକାରୀ ହେଉଛି। ଫଳରେ ସୁଇସ୍‌ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ଉପରୁ ପର୍ଦ୍ଦା ଉଠିବାକୁ ଯାଉଛି। କଳାଧନ ବିରୋଧରେ ଲଢ଼େଇ ଅଧିକ ଶକ୍ତିଶାଳୀ ହେବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି)କହିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦୁଇ ଦେଶ ଭିତରେ ହୋଇଥିବା ଚୁକ୍ତିି ଅନୁଯାୟୀ ସେପ୍ଟେମ୍ବର ପହିଲାରୁ ସୁଇସ୍‌ ବ୍ୟାଙ୍କ ସହ ଜଡ଼ିତ ଗୋପନୀୟତା ଶେଷ ହୋଇଯିବ। ସିବିଡିଟି କହିଛି ଯେ, ସୂଚନା ଆଦାନପ୍ରଦାନ ସ୍ବତଃ ଆରମ୍ଭ କରିବା ପୂର୍ବରୁ ସୁଇଜରଲାଣ୍ଡର ଏକ ପ୍ରତିନିଧି ଦଳ ଗତ ୨୯ ଓ ୩୦ରେ ଭାରତ ଗସ୍ତ କରି ରାଜସ୍ବ ସଚିବ ଏ.ବି.ପାଣ୍ଡେ, ବୋର୍ଡ ଅଧ୍ୟକ୍ଷ ପି.ସି.ମୋଦି ଓ ବୋର୍ଡ ସଦସ୍ୟ(ଆଇନ) ଅଖିଳେଶ ରଞ୍ଜନଙ୍କୁ ଭେଟିଥିଲେ। ସୁଇଜରଲାଣ୍ଡର ଅନ୍ତଃରାଷ୍ଟ୍ରୀୟ ଅର୍ଥ ବ୍ୟାପାରର ଷ୍ଟେଟ୍‌ ସେକ୍ରେଟେରିଏଟ୍‌ ଟିକସ ବିଭାଗ ଉପମୁଖ୍ୟ ନିକୋଲାସ ମାରିଓ ଲୁସର୍‌ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଭାରତ କ୍ୟାଲେଣ୍ଡର ବର୍ଷ ୨୦୧୮ ସୁଦ୍ଧା ସମସ୍ତ ଭାରତୀୟଙ୍କ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ସେପ୍ଟେମ୍ବରରୁ ସ୍ବତଃ ହାସଲ କରିବ। ଏହି ସମୟରେ ବନ୍ଦ ହୋଇଥିବା ଆକାଉଣ୍ଟ ତଥ୍ୟକୁ ମଧ୍ୟ ସାମିଲ କରାଯିବ।

Share