କଳାପାଟ-ବଡ଼ମାଳିସାହିରେ ପକ୍ଷୀ ଗଣନା ଶେଷ: ୨୨ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ

ଗଣିଆ,୫।୧(ଡି.ଏନ.ଏ.): ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଅନ୍ତର୍ଗତ ମହାନଦୀ ଓ ବିଭିନ୍ନ ଜଳାଶୟରେ ୩ ତାରିଖରେ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଛାମୁଣ୍ଡିଆ ବନାଞ୍ଚଳରେ ୨ଟି ଟିମ୍‌ ଦ୍ୱାରା ଗଣନା କାର୍ଯ୍ୟ କରାଯାଇଥିଲା । ଏହି ଟିମ୍‌ ମହାନଦୀର ଦକ୍ଷିଣପାର୍ଶ୍ୱ ନୟାଗଡ଼ ଜିଲା ଗଣିଆ ବ୍ଲକର କଳାପାଟଠାରୁ ବଡ଼ମୂଳ ମାଳିସାହି ଓ ବଡ଼ମୂଳ ମାଳିସାହିଠାରୁ କୁତୁରୀ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ କରିଥିଲେ । ଏଥିସହ ବନାଞ୍ଚଳର ବୃତ୍ତଙ୍ଗ ନଦୀ ଓ ଅନ୍ୟାନ୍ୟ ଜଳାଶୟରେ ମଧ୍ୟ ଏହି ଗଣନା କରାଯାଇଥିଲା । ତେବେ ଏହି ଟିମ୍‌ରେ ନିୟୋଜିତ କର୍ମଚାରୀମାନେ ଗଣନା ସମୟରେ ପକ୍ଷୀମାନଙ୍କୁ ସିଧାସଳଖ ଦେଖିବା, ବସା ଓ ବାଇନାକୁଲାର ସାହାଯ୍ୟରେ ଦେଖି ଗଣନା କରିଥିଲେ ।
ବନାଞ୍ଚଳ ଅଧିକାରୀ ଅଶୋକ ଦାସଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗଣନା ସମୟରେ ପାଣିକୁଆ, ଛୋଟ ପାଣିକୁଆ, ବଗ, ଇ ଗ୍ରେଟ୍‌, ଗେଣ୍ଡାଳିଆ, ଚକୁଆ ଚକୋଇ, ପିଣ୍ଟେଲ୍‌, ପାଟିନ୍‌ କୁଲ, ଟେଣ୍ଟେଇ, ସ୍ୟାଣ୍ଡିପର୍‌, ରିଭରଟର୍ନ, ମାଛରଙ୍କା, ହୁଇସିଲ ଡକ୍‌ ଆଦି ୨୨ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥିଲା । ସାତକୋଶିଆ ଗଣ୍ଡର ମୁଖ୍ୟ ଆକର୍ଷଣ ପାଲଟିଥିବା ବିଦେଶାଗତ ପକ୍ଷୀ ଇଣ୍ଡିଆନ ସ୍କିମର ନଭେମ୍ବର ମାସର ପ୍ରଥମ ସପ୍ତାହରେ ଦେଖାଦେଇଥିବା ବେଳେ ଗଣନା ବେଳେ ଏହା ଦେଖିବାକୁ ମିଳି ନ ଥିଲା । ଏହି ବିଦେଶାଗତ ପକ୍ଷୀ ମହାନଦୀର ଉପରମୁଣ୍ଡ ବୌଦ୍ଧ ଅଞ୍ଚଳକୁ ଚାଲିଯାଇଥିବା ବନ୍ୟପ୍ରାଣୀ ବିଭାଗ ତରଫରୁ ସୂଚନା ମିଳିଛି ।  କଳାପାଟଠାରୁ କୁତୁରୀ ପର୍ଯ୍ୟନ୍ତ ଗଣନା କାର୍ଯ୍ୟରେ ଫରେଷ୍ଟର ଗୋଲକ ବିହାରୀ ବେହେରା, ଗାୟତ୍ରୀ ପରିଡ଼ା, ଫରେଷ୍ଟଗାର୍ଡ ରଞ୍ଜିତା ସ୍ବାଇଁଙ୍କ ସମେତ ଅସ୍ଥାୟୀ ବନ କର୍ମଚାରୀମାନେ ନିୟୋଜିତ ହୋଇଥିଲେ । ସେହିପରି ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର କୁଶଙ୍ଗ, ବାଣିଗୋଛା ପୂର୍ବ ଓ ବାଣିଗୋଛା ପଶ୍ଚିମ ବନାଞ୍ଚଳରେ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିଲା ।