କଳାବଜାରକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ,୮।୪: ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବାରେ ଲାଗିଛି। କେତେକ ସ୍ଥାନରେ ଜିନିଷ ମିଳୁ ନ ଥିବା ନଜରକୁ ଆସିଛି। ଏଭଳି ସ୍ଥିତିରେ ବ୍ୟବସାୟୀମାନେ ଜିନିଷ ହୋର୍ଡିଂକରି ରଖୁଥିବା ବେଳେ କେତେକେ ଚଢ଼ା ଦରରେ ଏଗୁଡ଼ିକୁ ଲୋକଙ୍କୁ ବିକ୍ରି କରୁଛନ୍ତି। କଳାବଜାରକାରୀଙ୍କୁ ସାବାଡ଼କରିବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ବିରୋଧରେ ତୁରନ୍ତ କଠୋର ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖି ହୋର୍ଡିଂ ଓ କଳାବଜାରକୁ ରୋକିବା ଲାଗି ଶାହା ନିର୍ଦ୍ଦେଶ ଦେଇଥିବା ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବିମାନ ଓ ରେଳ ଦ୍ୱାରା ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରାଯାଉଥିବା ସେ କହିଛନ୍ତି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସରକାରୀ କଟକଣା ମାନି ସାମାଜିକ ଦୂରତ୍ୱ ରକ୍ଷାକରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି।

Share