Advertisement

କଳା,ସଂସ୍କୃତିର ପୁନରୁଦ୍ଧାରକୁ ଅଣଦେଖା

ଚମ୍ପୁଆ,୭।୩(ଡି.ଏନ.ଏ.)- ଲୋପ ପାଇ ଯାଉଥିବା କଳା,ସଂସ୍କୃତିର ପୁନରୁଦ୍ଧାର ଓ କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟ ନେଇ ଏଠାରେ ଖୋଳାଯାଇଥିବା ବି.କେ.ଏସ୍‌.ଏସ୍‌. କାର୍ଯ୍ୟାଳୟ ଲକ୍ଷ୍ୟଠାରୁ ଦୂରରେ ରହିଛି। କଳା ସମ୍ବନ୍ଧୀୟ ଆଲୋଚନା ଓ ବୈଠକ ଆୟୋଜନ କରି କଳା ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରିବା ସକାଶେ ୨୦୧୧ ମସିହାରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆ ବ୍ଲକରେ ବ୍ଲକ କଳା ସଂସ୍କୃତି କାର୍ଯ୍ୟାଳୟ ଏକ ପୁରୁଣା ଘରେ ଖୋଲା ଯାଇଥିଲା। ତକତ୍ାଳୀନ ଉପଜିଲାପାଳ ଡି. ବିନ୍ଦା ଓ ବିଡିଓ କୁକୁମିନା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ୨ ବର୍ଷ ଯେନତେନ ପ୍ରକାରେ ଉକ୍ତ କାର୍ଯ୍ୟାଳୟ କାର୍ଯ୍ୟ କରୁଥିଲା। ପରେ ଦୀର୍ଘ ବର୍ଷ ହେବ ଏହା ପରିତ୍ୟକ୍ତ ଅବସ୍ଥାରେ ପଡି ରହି ବଣବୁଦା ଭିତରେ ଲୁଚିଗଲାଣି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଲାଗି ଏହି ସଂସ୍ଥା ଓ ଯୋଜନା ଆଜି ଅଲୋଡା ହୋଇ ପଡିଛି ବୋଲି କଳାକାରମାନେ ମତ ଦେଉଛନ୍ତି। ବିଭିନ୍ନ ଅଞ୍ଚଳରୁ ବ୍ଲକକୁ ଆସୁଥିବା କଳାକାରମାନେ ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟରେ ଭତ୍ତା ଆଦି କାର୍ଯ୍ୟ ଶେଷ କରିବା ବେଳେ ନିଜ କାର୍ଯ୍ୟାଳୟରେ ବସିବା ପାଇଁ ସକ୍ଷମ ହୋଇପାରୁ ନାହାନ୍ତି। ବ୍ଲକ କଳା, ସଂସ୍କୃତି ସଂଗଠନର ସଭାପତି ଭାବେ ବିଡିଓ ଦାୟିତ୍ୱରେ ଥିବା କୁହାଯାଉଛି। କଳା, ସଂସ୍କୃତିର ପୁନରୁଦ୍ଧାର କାର୍ଯ୍ୟକୁ ଅଣଦେଖା କରାଯିବା ନେଇ ସମ୍ପାଦକ ତଥା ବିଏସଏସଓ ଅଧିକାରୀ ଶିବାନୀ ମାର୍ଣ୍ଡିଙ୍କୁ ପଚାରିବାରୁ ସେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel