କଳାହାଣ୍ଡିରେ ବନ୍ଦ ହେଲା ସମସ୍ତ ଧାନମଣ୍ଡି

ଭବାନୀପାଟଣା,୧ା୭(ଡି.ଏନ୍‌.ଏ.): ଚଳିତ ରବିଋତୁରେ ଧାନ ସଂଗ୍ରହ ପାଇଁ ମେ’ ୨୫ରୁୁ ଆରମ୍ଭ ହୋଇଥିବା ସମସ୍ତ ମଣ୍ଡି ଜୁନ୍‌ ୩୦ରୁ ବନ୍ଦ ହୋଇଛି। ରବିବାର ସୁଦ୍ଧା କଳାହାଣ୍ଡି ଜିଲାର ୨୩ ହଜାର ୮୫୪ ଜଣ ଚାଷୀଙ୍କ ଠାରୁ ୨୨ ଲକ୍ଷ ୮୦ ହଜାର ୫୯୦ କ୍ୱିଣ୍ଟାଲ ଧାନ ସଂଗୃହୀତ ହୋଇଛି। ସଂଗୃହୀତ ଧାନର ମୂଲ୍ୟ ୩୯୮ କୋଟି ୬୬ ଲକ୍ଷ ୮୭ ହଜାର ଟଙ୍କା। ଚଳିତ ରବିଋତୁରେ ଚାଷୀଙ୍କଠାରୁ ଧାନ କିଣିବା ପାଇଁ ପ୍ରାଥମିକ କୃଷିସେବା ସମବାୟ ସମିତି ଜରିଆରେ ଜିଲାରେ ମୋଟ ୮୯ଟି ମଣ୍ଡି ଖୋଲାଯାଇଥିଲା। ସମସ୍ତ ମଣ୍ଡି ସୋମବାର ଠାରୁ ବନ୍ଦ ହୋଇଛି। ପ୍ରକାଶଥାଉ କି,ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ରବିଧାନ ସଂଗ୍ରହ ନିମନ୍ତେ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲାରେ ଆଉ କିଛି ଛୋଟ ଚାଷୀଙ୍କ ଧାନ ଯଦି ବିକ୍ରି ପାଇଁ ରହିଯାଇଥାଏ ତେବେ ରାଜ୍ୟ ସରକାରଙ୍କ ଅନୁମତି ନେଇ ସେସବୁ ଧାନ କ୍ରୟର ବ୍ୟବସ୍ଥା କରାଯିବ ବୋଲି ଜିଲା ଯୋଗାଣ ଅଧିକାରୀ ଶ୍ରୀ ଦରା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲାରେ ସଂଗୃହୀତ ଧାନର ମୂଲ୍ୟ ୩୯୮ କୋଟି ୬୬ ଲକ୍ଷ ୮୭ ହଜାର ଟଙ୍କା। ସେଥିମଧ୍ୟରୁ ସୋମବାର ସୁଦ୍ଧା ଧାନର ପ୍ରାପ୍ୟ ବାବଦକୁ ଚାଷୀଙ୍କ ଆକାଉଣ୍ଟରେ ୩୭୧ କୋଟି ୭୯ ଲକ୍ଷ ଟଙ୍କା ଜମା କରାଯାଇଛି ଏବଂ ଚାଷୀଙ୍କୁ ଧାନର ପ୍ରାପ୍ୟ ବାବଦକୁ ଆହୁରି ୨୬ କୋଟି ୮୭ ଲକ୍ଷ ୮୫ ହଜାର ଟଙ୍କା ପୈଠ କରିବା ବାକି ରହିଥିବା ଜିଲା ଯୋଗାଣ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।