କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ସୋମବାର କୋର୍ଟ ବର୍ଜନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଉଛି। ତେବେ ଚଳିତ ମାସ ଶେଷ ସୋମବାର ଏପରି କରା ନ ଯାଇ କେବଳ ଓକିଲ ସଂଘ ପକ୍ଷରୁ କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ କୋର୍ଟ କାର୍ଯ୍ୟ ବର୍ଜନ ନ କରାଯାଇ ଅଭିନବ ଭାବେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ କଳାହାଣ୍ଡି ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଓ ଓକିଲ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଅଶ୍ୱିନୀ କୁମାର ଦାସ, ଉପସଭାପତି ଦିଲୀପ କୁମାର ପ୍ରହରାଜ, ସହକାରୀ ସମ୍ପାଦକ ନିହାର ରଞ୍ଜନ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

Share