କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘର କୋର୍ଟ ବର୍ଜନ

ଭବାନୀପାଟଣା,୨୫।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ଜିଲା ଓକିଲ ସଂଘ ବିଗତ ସାତ ବର୍ଷ ହେଲା ଆନ୍ଦୋଳନ ଚଳାଇଆସିଛି। ଏ ନେଇ ମଙ୍ଗଳବାର କଳାହାଣ୍ଡି ଓକିଲ ସଂଘ ସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଅଶ୍ୱିନୀ ଦାଶଙ୍କ ନେତୃତ୍ୱରେ ପୂର୍ବତନ ସଭାପତି ଗଜେନ୍ଦ୍ର ପାଢ଼ି, ସନ୍ତୋଷ ପଣ୍ଡା, ସମ୍ପାଦକ କ୍ଷୀରୋଧ ଚନ୍ଦ୍ର ନେଗୀ ସମେତ ଶତାଧିକ ଓକିଲ କୋର୍ଟ ବର୍ଜନ କରି ଜିଲା ଜଜ୍‌ କୋର୍ଟ ସମେତ ଭବାନୀପାଟଣାର ୧୧ କୋର୍ଟ ଓ ସମସ୍ତ ରାଜସ୍ବ କୋର୍ଟରେ ପିକେଟିଙ୍ଗ କରି ଜଜ ଓ ମାଜିଷ୍ଟ୍ରେଟମାନଙ୍କୁ କୋର୍ଟ ପରିସରକୁ ଛାଡ଼ି ନାହାନ୍ତି। ଫଳରେ ଭବାନୀପାଟଣାରେ ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ବ ଅଦାଲତଗୁଡ଼ିକରେ କୌଣସି କାର୍ଯ୍ୟ ହୋଇପାରି ନାହିଁ ।
ସୂଚନାଯୋଗ୍ୟ, ପ୍ରାଥମିକ ପର୍ଯ୍ୟାୟରେ କଳାହାଣ୍ଡି ଓକିଲ ସଂଘ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ୪୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ମାସର ଶେଷ ସୋମବାର କଳାହାଣ୍ଡି ଓକିଲ ସଂଘ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଆସୁଛି ।