ଭବାନୀପାଟଣା,୪।୯(ଡି.ଏନ୍.ଏ.): କଳାହାଣ୍ଡି ଗ୍ରାମାଞ୍ଚଳର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେଉଁଠି ବିଦ୍ୟାଳୟ ପାଇଁ ଶ୍ରେଣୀ ଗୃହ ଅଭାବ ତ କେଉଁଠି ଶିକ୍ଷକ ଅଭାବ। ପୁଣି କେଉଁଠି ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଅଭାବରୁ ତାଲା ପଡ଼ିବା ଅବସ୍ଥାକୁ ଚାଲିଆସିଛି। ଶିକ୍ଷାଧିକାର ଆଇନ ଅନୁସାରେ, ୩୫ ଜଣ ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ନିୟୋଜନ କରାଯିବାର ଧାର୍ଯ୍ୟ କରାଯାଇଛି। ମାତ୍ର ପରିତାପର ବିଷୟ କଳାହାଣ୍ଡି ଜିଲା ଗ୍ରାମାଞ୍ଚଳର ଅନେକ ବିଦ୍ୟାଳୟ ଏବେ ବି ମାତ୍ର ଜଣେ ଲେଖାଏ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। ଏପରିକି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୨୯ଜଣ ଛାତ୍ରୀଛାତ୍ର ପାଠ ପଢୁଥିଲେ ମଧ୍ୟ ଶିକ୍ଷାଦାନ ଲାଗି ମାତ୍ର ୪ ଜଣ ଶିକ୍ଷକ ନିୟୋଜିତ ହେଇଛନ୍ତି । ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ଜିଲାର ଆଦିବାସୀ ବହୁଳ ଥୁଆମୂଳ ରାମପୁର ବ୍ଲକ ଅଧୀନ ଓଡ୍ରି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟ ଉନ୍ନୀତ ହେବା ପରେ ନବମ ଓ ଦଶମ ଶ୍ରେଣୀ ଖୋଲିବାର ପ୍ରାୟ ୧୦ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ଉକ୍ତ ଶ୍ରେଣୀ ପାଇଁ ଥିବା ଇଂରାଜୀ, ବିଜ୍ଞାନ ଓ ଗଣିତ ବିଷୟ ଶିକ୍ଷା ଦାନ ନିମିତ୍ତ ଅଭିଜ୍ଞ ଶିକ୍ଷକ ନିୟୋଜିତ କରାଯାଇ ନାହିଁ । ପ୍ରାଥମିକ ଶ୍ରେଣୀ ପାଇଁ ନିୟୋଜିତ ଶିକ୍ଷକ ହିଁ ପାଠ ପଢ଼ାଉଛନ୍ତି। ଦୁଇରୁ ଅଧିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗୋଟିଏ କୋଠରୀରେ ବସାଇ ଶିକ୍ଷାଦାନ କରାଯାଉଛି । କେବଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ବ୍ୟତୀତ ଅନ୍ୟ କେହି ଶିକ୍ଷା ବିଭାଗ ଅଧିକାରୀ ପରିଦର୍ଶନରେ ଆସୁ ନ ଥିବାରୁ ବିଦ୍ୟାଳୟର ସମସ୍ୟା ସମ୍ବନ୍ଧରେ ଶିକ୍ଷା ବିଭାଗ ଗୁରୁତ୍ୱ ଦେଉ ନ ଥିବା ଅନେକ ଛାତ୍ରାଭିଭାବକ ଅଭିଯୋଗ କରିଛନ୍ତି ।
Posted inଆମ ଜିଲା ଖବର, କଳାହାଣ୍ଡି