କଳାହାଣ୍ଡି ଜିଲାପାଳ, ଏସ୍‌ପିଙ୍କୁ ହାଇକୋର୍ଟଙ୍କ ଆଦେଶ: ଛତର ଯାତ୍ରାରେ ବଳି ବନ୍ଦ ପାଇଁ ପଦକ୍ଷେପ ନିଅ

କଟକ ଅଫିସ, ୯ା୧: କଳାହାଣ୍ଡି ଜିଲାର ପ୍ରସିଦ୍ଧ ଛତର ଯାତ୍ରାରେ ବଳି ବନ୍ଦ ପାଇଁ ଜିଲାପାଳ, ଏସ୍‌ପି ପଦକ୍ଷେପ ନେବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାର ଶୁଣାଣିକରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସରକାରଙ୍କୁ ଏହି ଆଦେଶ ଦେଇଛନ୍ତି। ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ଯେ, ସେଠାକାର ଜିଲା ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ବିଶେଷକରି ଆଦିବାସୀମାନଙ୍କୁ ଏ ନେଇ ସଚେତନ କରାଇବେ। ଛତର ଯାତ୍ରା ଆରମ୍ଭ ହେବାର ଗୋଟିଏ ମାସ ପୂର୍ବରୁ ସେଠାକାର ପ୍ରଶାସନ ମାଣିକେଶ୍ୱରୀ ମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ବଳି ବନ୍ଦ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ। ଏହି ସଚେତନତା କାର୍ଯ୍ୟକ୍ରମରେ ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କୁ ସାମିଲ କରିବାକୁ ପ୍ରଶାସନ ଚେଷ୍ଟା କରିବ। କଳାହାଣ୍ଡି ଏସ୍‌ପି ଏ ଦିଗରେ ବିଶେଷ ଧ୍ୟାନ ଦେବେ। ଛତର ଯାତ୍ରାର ଗୋଟିଏ ସପ୍ତାହ ପୂର୍ବରୁ ବଳି ନିମନ୍ତେ କ’ଣ ସବୁ ପ୍ରସ୍ତୁତି ଚାଲିଛି ତାହା ଉପରେ ଏସ୍‌ପି ନଜର ରଖିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏଥିରେ କୌଣସି ବ୍ୟତିକ୍ରମ ଘଟିଲେ ଏସ୍‌ପି ଏବଂ ଜିଲାପାଳ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ଖଣ୍ଡପୀଠ ଆଦେଶରେ କହିଛନ୍ତି। ସୂଚନାଥାଉ କି, ପ୍ରତିବର୍ଷ ପାର୍ବଣ ସମୟରେ ଛତର ଯାତ୍ରାରେ ବହୁ ସଂଖ୍ୟକ ପଶୁ ବଳି ଦିଆଯାଇଥାଏ। ଏହାକୁ ବନ୍ଦ କରିବା ପାଇଁ ଆବେଦନକାରିଣୀ ଦାସ ୨୦୧୬ ମସିହାରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ।

Share