କଳା ପଲ୍‌ସର ଆତଙ୍କ : ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

କେନ୍ଦୁଝର,୫।୧୦(ଡି.ଏନ୍‌.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁଇଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଜଣେ ମହିଳାଙ୍କଠାରୁ ୨ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପି ନେଇଛନ୍ତି।
ସୂଚନାଯୋଗ୍ୟ, ଶନିବାର ମଧ୍ୟାହ୍ନରେ ସହରସ୍ଥିତ ଭାଲକିପାତଳା ସାହିର ଗୀତାଞ୍ଜଳି ମହାପାତ୍ର ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ସ୍କୁଟିରେ ଭାଲୁକିପାତଳା ଯାଉଥିଲେ। ଘରଠାରୁ ମାତ୍ର କିଛି ଦୂରରେ ହଠାତ୍‌ ଏକ କଳା ପଲ୍‌ସରରେ ଦୁଇଜଣ ଦୁର୍ବୃତ୍ତ ଆସି ସ୍କୁଟି ଆଗରେ ପଲସର ରଖି ତାଙ୍କଠାରୁ ୨ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ଟିକୁ ଝାମ୍ପି ନେଇ ପଳାଇଛନ୍ତି। ଏ ସମ୍ପର୍କରେ ଗୀତାଞ୍ଜଳି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ା ଗତ କିଛି ଦିନ ହେବ କେନ୍ଦୁଝର ସହରରେ ଲୁଟ୍‌, ଛିନ୍‌ତାଇ ଓ ଚୋରି ପ୍ରବଳ ମାତ୍ରାରେ ବଢ଼ି ଯାଇଥିବାବେଳେ ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହୋଇଛି। ଫଳରେ ଅଞ୍ଚଳବାସୀ ଏକପ୍ରକାର ଅସୁରକ୍ଷିତ ହୋଇପଡ଼ିଛନ୍ତି।