କଳା, ସଂସ୍କୃତିର ଏନ୍ତୁଡ଼ିଶାଳ ମୟୂରଭଞ୍ଜ

ବାରିପଦା ଅଫିସ, ୧୬ା୨-ସ୍ଥାନୀୟ ସଂସ୍କୃତି ଭବନଠାରେ କ୍ରିଏଟିଭ ସ୍କୁଲ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟର୍ସ ପକ୍ଷରୁ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ନବମ ରାଜ୍ୟସ୍ତରୀୟ ଚିତ୍ର ପ୍ରଦର୍ଶନୀ ଉଦ୍‌ଯାପିତ ହୋଇଯାଇଛି। ପରିଚାଳନା କମିଟି ସଭାପତି କଳ୍ପନା ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସନ୍ଧ୍ୟାରେ ମୟୂରଭଞ୍ଜର ମହାରାଣୀ ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟଅତିଥି ଭାବେ ଯୋଗଦେଇ ମୟୂରଭଞ୍ଜ ଜିଲା କଳା ଏବଂ ସଂସ୍କୃତିର ଏନ୍ତୁଡିଶାଳ ବୋଲି ବକ୍ତବ୍ୟରେ କହିଥିଲେ। ଜିଲାର ପ୍ରତ୍ୟେକ ବ୍ୟକ୍ତି କଳାର ପୂଜାରୀ ତଥା ପ୍ରଂଶସକ। ଘରେ ଘରେ ଏଠି କଳାକାର ଜନ୍ମ ନେଉଛନ୍ତି। ସେମାନଙ୍କୁ ଆବଶ୍ୟକ ତାଲିମ ଓ ପୃଷ୍ଠପୋଷକତା ମିଳିପାରିଲେ ସେମାନେ ପଦ୍ମଭୂଷଣ ଯତୀନ ଦାସ, ହରି ସିଂ ବାବୁ, ଶିବ ପାଣିଗ୍ରାହୀଙ୍କ ଭଳି ସୁନାମଧନ୍ୟ କଳାକାର ହୋଇପାରିବେ। ସେହିଭଳି ଭଲ କଳାକାରମାନଙ୍କ ଜୀବନଯାତ୍ରାକୁ ଅନୁଶୀଳନ କରି ସେଥିରୁ ପ୍ରେରଣା ଗ୍ରହଣ କରିବାକୁ ତାଲିମ ନେଉଥିବା ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଲସାହେବା ପୂର୍ଣ୍ଣମା ଭଞ୍ଜଦେଓ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟର ୧୦ ଜଣ ଚିତ୍ର ଓ ଏବଂ ଭାସ୍କର୍ଯ୍ୟଶିଳ୍ପୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନେ ହେଲେ ଢେଙ୍କାନାଳର ଜିଲୁ ସାହୁ, ଭଦ୍ରକର ରିଷିତା ଖାଟୁଆ, ମୟୂରଭଞ୍ଜର ଛକେନ୍ଦ୍ର ହେମ୍ବ୍ରମ, ଅଜୟ ରଣା, ସଦାଶିବ ଦାସ, ବାଲେଶ୍ୱରର କାମିନୀକାନ୍ତ ସ୍ବାଇଁ, ରଙ୍କନିଧି ସୂତାର, ପ୍ରତିମା ନାୟକ, ପୁରୀର ଦିବ୍ୟଜ୍ୟୋତି ମହାନ୍ତି, କେନ୍ଦ୍ରାପଡ଼ାର ସତ୍ୟ ପ୍ରକାଶ ସ୍ବାଇଁ। ସେହିଭଳି ଚିତ୍ର ପ୍ରଦର୍ଶନୀରେ କୃତୀ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସଭ୍ୟ ଆକାଶ ରାମ, ରୁନୁରାଣୀ ବେହେରା, ରାଜେଶ ମୁଦୁଲି, ରାଜୁ ନାଏକ, ସମତା ଦାସ, ସୁବିନୟ ଦାସ, ସମତା ଦାସ, ସ୍ବୟମ ଆଦିତ୍ୟ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ପାଦକ ବିଭୂଦତ୍ତ ଦାସ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ପ୍ରତିଷ୍ଠାତା ଚାରୁଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।