କଳିଙ୍ଗା ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା: ସୁରଟ୍‌ରୁ ଫେରୁଥିବା ବସ୍‌ର ରୁଟ୍‌ ବଦଳାଯିବ

ଭୁବନେଶ୍ୱର,୩।୫(ବ୍ୟୁରୋ): କଳିଙ୍ଗା ଘାଟିରେ ଦୁଇଟି ବସ୍‌ ଦୁର୍ଘଟଣା ହେବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ରବିବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘାଟି ରାସ୍ତା ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ଡ୍ରାଇଭର ଉକ୍ତ ରାସ୍ତା ବିଷୟରେ ଅଭ୍ୟସ୍ତ ନୁହନ୍ତି। ଏଣୁ ସୁରଟରୁ ଆସୁଥିବା ବସ୍‌ର ରୁଟ୍‌ ବଦଳାଯିବ। ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ ବୋଲି ସେ କହିଛନ୍ତି।

ଶନିବାର ରାତିରେ ଏବଂ ରବିବାର ସକାଳେ ଉକ୍ତ ଘାଟିରେ ଦୁଇଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏଥିରେ ୨ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ତେବେ ଡ୍ରାଇଭରମାନେ ଲମ୍ବା ରାସ୍ତା ଦେଇ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏପରିକି ଘାଟି ରାସ୍ତାରେ ଚଳାଚଳ ନେଇ ସେମାନେ ଅଭ୍ୟସ୍ତ ନୁହନ୍ତିି। ଏହି ଘାଟିରେ ବୁଲାଣି ଅଧିକ ରହିଥିବାରୁ ଡ୍ରାଇଭରମାନେ ଭାରସାମ୍ୟ ହରାଉଥିବା ଆଶଙ୍କା କରାଯାଉଛି। ଦୁର୍ଘଟଣାକୁ ରୋକିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ରୁଟ୍‌ରେ ବସ୍‌ ନ ଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ରୁଟ୍‌ ପରିବର୍ତ୍ତନ କରାଯାଇଛି।

Share