କଳିଙ୍ଗ ନଗର ଏନକାଉଣ୍ଟର ମାମଲା:ଆହତ ସୁଶାନ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗର ଏନକାଉଣ୍ଟର ଘଟଣାରେ ଆହତ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ମାଝି ସୁସ୍ଥ ହେବା ପରେ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି। ସୁଶାନ୍ତଙ୍କ ଘର ଖୋର୍ଦ୍ଧା ଜିଲା ସାମନ୍ତରାପୁର ସ୍ବପ୍ନେଶ୍ୱର ସାହିରେ। ତାଙ୍କ ନାମରେ ପୂର୍ବରୁ ଖୋର୍ଦ୍ଧା ଜିଲାର ବିଭିନ୍ନ ଥାନା ଓ ଖଣ୍ଡଗିରି ଥାନାରେ ବହୁ ମାମଲା ରହିଛି। ଗତ ୫ ତାରିଖ ବିଳମ୍ବିତ ରାତିରେ କଳିଙ୍ଗ ନଗର କେ-୭ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ଥିଲା। ପୋଲିସକୁ ଦେଖି ସୁଶାନ୍ତ ପ୍ରଥମେ ଗୁଳି ଚାଳନା କରିଥିଲା। ଏହାର ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା। ଫଳରେ ତା’ ବାମ ଗୋଡର ଆଣ୍ଠୁ ତଳକୁ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ସୁଶାନ୍ତକୁ ପୋଲିସ୍‌ ପ୍ରଥମେ କ୍ୟାପିଟାଲ ହସ୍ପିିଟାଲ ନେଇଥିବା ବେଳେ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା। ଜାମିନ୍‌ ନାମଞ୍ଜୁର ହୋଇଯିବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଛି। ସୁଶାନ୍ତ ନାମରେ ୧୦ରୁ ଅଧିକା ଅପରାଧୀ ମାମଲା ଥିବାବେଳେ ଟାଙ୍ଗୀରେ ଲୁଟ୍‌ ହୋଇଥିବା ୬୦ ଲକ୍ଷ ଟଙ୍କା ଘଟଣାରେ ସେ ସମ୍ପୃକ୍ତ ଥିବା ପୋଲିସ କହିଛି। ସୁଶାନ୍ତଠାରୁ ପୋଲିସ ୫ ରାଉଣ୍ଡ ଗୁଳି ସହ ଗୋଟିଏ ୯ ଏମ୍‌ଏମ୍‌ ବନ୍ଧୁକ ଜବତ କରିଛି।