‘କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ’

ଭୁବନେଶ୍ୱର,୭।୧୨(ବ୍ୟୁରୋ): କଳିଙ୍ଗ ଯୁଦ୍ଧର ଐତିହାସିକ ପ୍ରମାଣ ନାହିଁ। ପ୍ରଚଳିତ ତଥ୍ୟ ଓ ଉପଲବ୍ଧ ଅଧ୍ୟୟନରୁ କଳିଙ୍ଗ ଯୁଦ୍ଧ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ। ଦୟାନଦୀ କୂଳରେ ଥିବା ଶିଳାଲେଖରେ କଳିଙ୍ଗ ଯୁଦ୍ଧ ହୋଇଥିବା ନେଇ କିଛି ଉଲ୍ଲେଖ ନାହିଁ। ଶ୍ରୀଲଙ୍କା ଇତିହାସରେ ଅଶୋକଙ୍କ ଧର୍ମ ପ୍ରଚାର ସମ୍ପର୍କରେ ଉଲ୍ଲେଖ ରହିଥିଲେ ମଧ୍ୟ କଳିଙ୍ଗ ଯୁଦ୍ଧର ବର୍ଣ୍ଣନା ନାହିଁ। ଯଦିଓ କଳିଙ୍ଗ ଯୁଦ୍ଧ ହୋଇଥିବାର ଲିଖିତ ପ୍ରମାଣ ଅନ୍ୟ ଏକ ଶିଳାଲେଖରେ ରହିଛି, ତାହା ଅଶୋକ ନିଜର ଶାନ୍ତିଧର୍ମ ପ୍ରଚାର ଉଦ୍ଦେଶ୍ୟରେ କରି ଥାଇପାରନ୍ତି ବୋଲି ଶ୍ରୀଲଙ୍କାର ଖ୍ୟାତନାମା ସାହିତି୍ୟକ ତଥା ‘ଅଶୋକ’ ପୁସ୍ତକର ରଚୟିତା ଦୟା ଦିସାନାୟକେ କହିଛନ୍ତି।
ଅଶୋକଙ୍କ ସମ୍ପର୍କରେ ଦୀର୍ଘ ୩ ବର୍ଷରୁ ଅଧିକ ସମୟ ଧରି ଗବେଷଣା କରି ‘ହୁ ଇଜ୍‌ ଅଶୋକ’ ପୁସ୍ତକ ରଚନା କରିଥିବା ଦିସାନାୟକେ ଶୁକ୍ରବାର ସ୍ଥାନୀୟ ଅକ୍ସଫୋର୍ଡ ବୁକ୍‌ଷ୍ଟୋର୍‌ରେ ଆୟୋଜିତ ମାସିକ କେଏଲ୍‌ଏଫ୍‌ ପାଠ୍ୟଚକ୍ରରେ ଯୋଗଦେଇ କହିଥିଲେ, ଶାନ୍ତିପ୍ରିୟ ଅଶୋକ ନିଜ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ କଳିଙ୍ଗ ଯୁଦ୍ଧର କାହାଣୀରେ ତାଙ୍କ ହୃଦୟ ପରିବର୍ତ୍ତିତ ହୋଇଥିବା କଥା ବର୍ଣ୍ଣନା କରିଥାଇପାରନ୍ତି। ଲୋକଙ୍କୁ ଶାନ୍ତିର ପଥ ଆପଣେଇବାକୁ ପ୍ରେରିତ କରିବା ସକାଶେ ସେ କଳିଙ୍ଗ ଯୁଦ୍ଧର ପରିକଳ୍ପନା କରିଥିବା ମନେହୁଏ। ଜଣେ ବିଜୟ ଲାଭ କରିଥିବା ସ୍ଥଳେ ନିଜ ବିଜୟ ଗାଥା ନ ଲେଖି ଶାନ୍ତିର ବାର୍ତ୍ତା ପ୍ରଦାନ କରିବା ଅସମ୍ଭବ ବୋଲି ସେ କହିଛନ୍ତି। ଅଶୋକ ଯେଉଁ ଧର୍ମ ପାଳନ କଥା କହିଥିଲେ, ତାହା ସବୁ ରାଷ୍ଟ୍ରରେ ପାଳନୀୟ ଏବଂ ବିଶ୍ବ ଭ୍ରାତୃତ୍ୱବାଦକୁ ଆଗକୁ ନେବାରେ ଏହା ସାହାଯ୍ୟ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେ ପୁଣି କହିଛନ୍ତି, ଭାରତରେ ଅନେକ ଶିଳାଲେଖ ଓ ଐତିହାସିକ କୀର୍ତ୍ତିର ଆବିଷ୍କାର ଓ ଏହାର ଗବେଷଣା ବ୍ରିଟିଶ ତଥା ୟୁରୋପୀୟମାନେ କରିଥିଲେ। ଶିଳାଲେଖର ବିଶ୍ଳେଷଣ ମଧ୍ୟ ସେମାନେ କରିଛନ୍ତି। ଏଣୁ ଭାରତର ପ୍ରକୃତ ଇତିହାସ ବିଷୟରେ ଜାଣିବା ପାଇଁ ଭାରତୀୟ ଇତିହାସକାର, ଭାଷାବିତ୍‌, ପୁରାତନତତ୍ତ୍ବବିଦ୍‌ ଓ ନୃତତ୍ତ୍ବବିଦ୍‌ ପୁନର୍ବାର ଏହିସବୁ ଶିଳାଲେଖର ଖନନ ଓ ବିଶ୍ଳେଷଣ କରିବାକୁ ଦିସାନାୟକେ ପରାମର୍ଶ ଦେଇଛନ୍ତି। ଆର୍ଥିକ ଲାଭ ପାଇଁ ଲେଖିବା ଫଳରେ ସୃଜନଶକ୍ତି ବାଧିତ ହୋଇଥାଏ। ଏଣୁ ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ ବିନା ପାରିଶ୍ରମିକର ଆଶା ରଖି ରଚନା କରିବା ଆବଶ୍ୟକ। ଫଳରେ କାଳିଦାସ, ବାଲ୍ମୀକିଙ୍କ ପରି କାଳଜୟୀ କୃତି ସୃଷ୍ଟି ହୋଇପାରିବ ବୋଲି ସେ ଯୁବ ଲେଖକଙ୍କୁ ପରାମର୍ଶ ଦେଇଛନ୍ତି।

Share