କଳିଙ୍ଗ ହସ୍ପିଟାଲରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ପୁଣି କଳିଙ୍ଗ ହସ୍ପିଟାଲ ଉପରେ ଚଢ଼ାଉ ହୋଇଛି। ଖୋର୍ଦ୍ଧା ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ପିସିପିଏନ୍‌ଡିଟି ସେଲ୍‌ ପକ୍ଷରୁ ସୋମବାର ମିଳିତ ଭାବେ ଏହି ଚଢ଼ାଉ ହୋଇଥିଲା। ଡାକ୍ତରଖାନାରେ ପିସିପିଏନ୍‌ଡିଟି ଆଇନ କିଭଳି କାର୍ଯ୍ୟକାରୀ ହେଉଛି ତାହାର ଟିକିନିଖି ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଆଇନ ଉଲ୍ଲଂଘନ କାର୍ଯ୍ୟ ହୋଇଥିବା ଜଣାପଡ଼ିଥିଲା। ପ୍ରସୂତିମାନଙ୍କର ଅଲଟ୍ରାସାଉଣ୍ଡ୍‌ ରେକର୍ଡପତ୍ର ଠିକଣା ଭାବେ ମିଳି ନ ଥିଲା। ପ୍ରସୂତିଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ‘ଏଫ୍‌’ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବାବେଳେ ଅନେକ ଫର୍ମରେ ତାହା ନ ଥିବା ଯାଞ୍ଚ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏଥିଯୋଗୁ ଏଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଅଧିକାରୀମାନେ ସନ୍ଦେହ କରିଥିଲେ। ତେଣୁ ଆଇନ ଉଲ୍ଲଂଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ୍‌ ମେଶିନକୁ ସିଲ୍‌ କରାଯାଇଛି। ପୂର୍ବରୁ ଖୋର୍ଦ୍ଧା ଜିଲା ପ୍ରଶାସନ ମଧ୍ୟ ଗୋଟିଏ ଅଲଟ୍ରାସାଉଣ୍ଡ୍‌ ମେଶିନକୁ ସିଲ୍‌ କରିଥିଲା। ଏବେ ଆଉ ଦୁଇଟି ମେଶିନ ସିଲ୍‌ ହେବା ସହିତ ଆଇନ ଉଲ୍ଲଂଘନ ଅଭିଯୋଗରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲାପାଳ ପୁରନ୍ଦର ନନ୍ଦଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ, ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡା. ବିନୋଦ ବିହାରୀ ରଥ ଓ ପିସିପିଏନ୍‌ଡିଟି ସେଲ୍‌ର ଆଇନ ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଚଢ଼ାଉରେ ସାମିଲ୍‌ ଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଡ୍ରଗ୍ସ କଣ୍ଟ୍ରୋଲ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କଳିଙ୍ଗ ହସ୍ପିଟାଲରେ ଅଚାନକ ଚଢ଼ାଉ କରାଯାଇ ଔଷଧ ଯାଞ୍ଚ କରାଯାଇଥିଲା। ୬ଟି ଔଷଧ ଉପରେ ସନ୍ଦେହ ହେବାରୁ ତାହାକୁ ଜବତ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ଔଷଧ ବିକ୍ରି କିମ୍ବା ବ୍ୟବହାର ଉପରେ କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି। ଏହା ପୂର୍ବରୁ ବିଧାୟକଙ୍କୁ ଦୁର୍ବ୍ୟବହାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସ୍‌ଟିଏଫ୍‌ ସୁବିଧାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି।

Share