କଳ୍ପନାରୁ ବଡ଼ଗଡ଼ ରାସ୍ତା ହେବ ୪ ଲେନ୍‌

ଭୁବନେଶ୍ୱର/କଟକ ରୋଡ, ୨୨ା୮(ବ୍ୟୁରୋ/ଡି.ଏନ.ଏ.): କଳ୍ପନା ସିନେମା ହାଲ ଛକରୁ ବଡ଼ଗଡ଼ କେନାଲରୋଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାପାର୍ଶ୍ୱରୁ ବୁଧବାର ଜବରଦଖଲ ହଟିଛି। ରାସ୍ତାପାର୍ଶ୍ୱରେ ଥିବା ଜରି ଛପର ଘରୁଠାରୁ ଆରମ୍ଭ କରି ଅସ୍ଥାୟୀ ଦୋକାନ ମନ୍ଦିର ଓ ବଡ ଗଛଗୁଡ଼ିକୁ ଉଚ୍ଛେଦ କରାଯାଇଛି। ରାସ୍ତାଟିକୁ ୪ ଥାକିଆରେ ପରିଣତ କରିବା ସହ ଉପୁଜୁଥିବା ଟ୍ରାଫିକ୍‌ ସମସ୍ୟାକୁ ଏଡାଇବା ଲାଗି ପୂର୍ତ୍ତ ବିଭାଗ ଦ୍ୱାରା ଜାରି କରାଯାଇଥିବା ଚିଠି ନଂ. ୨୪୪୩କୁ ଭିତ୍ତି କରି ଏହି ଉଚ୍ଛେଦ କରାଯାଇଛି। ମିଳିତ ଏନ୍‌ଫୋର୍ସମେଣ୍ଟ ସ୍କା୍ବଡ (ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ପୂର୍ତ୍ତ ବିଭାଗ ଅଧିକାରୀ ଓ କମିଶନରେଟ ପୋଲିସ) ପକ୍ଷରୁ ପୂର୍ବାହ୍ନ ସାଢେ ୧୦ଟା ୩୦ରୁ ଏହି ଉଚ୍ଛେଦ ଆରମ୍ଭ ହୋଇଥିଲା। ଏଥିରେ ଦୁଇଟି ମନ୍ଦିର, ୧୨ ଜରିପାଲ ଥିବା ଦୋକାନ, ୯ ଦୋକାନର ବାହାରକୁ ବାହାରିଥିବା ଆଜବେଷ୍ଟସ, ୩୬ ବାଉଁଶ ବନ୍ଧା ଦୋକାନ, ୭ଟି ହୋଡିଂ ଓ ଗୋଟିଏ ଘରକୁ ଭଙ୍ଗାଯାଇଛି। ସମୟ ନ ହୋଇଯିବାରୁ କଳ୍ପନାରୁ ଟଙ୍କପାଣିରୋଡ ଜଗନ୍ନାଥ ଆଶ୍ରମ ଯାଏ ହେବାକୁ ଥିବା ଏହି ଉଚ୍ଛେଦକୁ କେନାଲରୋଡ ପାଖରେ ଅଟକାଯାଇଛି। ପୂର୍ବ ବିଭାଗ ପକ୍ଷରୁ ପୂର୍ବରୁ ୨୦୧୫ରେ ୬୭ଲକ୍ଷ ବ୍ୟୟ ଅଟକଳ କରାଯାଇଥିବା ବେଳେ ଏବେ ଏହା ୨କୋଟି ୯୦ ଲକ୍ଷରେ ପହଞ୍ଚତ୍ଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ-୧ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପଚାରିବାରେ ୯ଶହ ମିଟର ରାସ୍ତା ୪ ଥାକିଆ ହେବ। ଏନେଇ ଟେଣ୍ଡର ସରିଥିବା ବେଳେ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମରେ ମୋଟ ୩ ଗୋଟି ବୁଲଡୋଜର ବ୍ୟବହାର ହୋଇଥିଲା। ଉଚ୍ଛେଦରେ ଉଚ୍ଛେଦ ଅଧିକାରୀ ୨ ପ୍ରମୋଦ କୁମାର ପାତ୍ର, ଯୋଗସୂତ୍ର ଅଧିକାରୀ ସୁଧାଂଶୁ ଶେଖର ମହାନ୍ତି, ବିମଳ କୁମାର ଦାସ, ବଡ଼ଗଡ଼ ଥାନାର ଏସ୍‌ଆଇ ସରିତା ଶତପଥୀଙ୍କ ସହ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ, ଗୋଟିଏ ସେକ୍ସନ ମହିଳା ପୋଲିସ, ଉଚ୍ଛେଦ ଦଳ ନଂ. ୧, ୩, ଦକ୍ଷିଣ ପୂର୍ବ ବିଏମ୍‌ସି ଜୋନର ସ୍କ୍ବାଡ ପ୍ରମୁଖ ଉପସ୍ଥିତ ଥିଲେ।

Share