କଳ୍ପନା ଦାଶ, ବବ୍‌ଲି ହତ୍ୟା ଘଟଣା: ମରାଠା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ହମିରପୁର ଜଙ୍ଗଲରେ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ଘଟଣାରେ ଏବେ ଛତିଶଗଡ଼ ପୋଲିସ ଅଡୁଆରେ ପଡିଛି। ଅଭିଯୁକ୍ତ ଅନୁପ ଏବଂ ଡ୍ରାଇଭର ବର୍ଦ୍ଧନଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ ଲାଗି ଚ୍ୟାଲେଞ୍ଜ ହେଉଥିବାବେଳେ ଏବେ ଏକ ମରାଠା ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ଗୁରୁବାର ଅନୁପଙ୍କ ଏକ ବୋଲେରୋ ଜବତ କରିଛି। ଅନ୍ୟପଟେ ହତ୍ୟା ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଅନୁପଙ୍କୁ ଘଟଣାସ୍ଥଳକୁ ନେଇ ଡେମୋ ଦେଖାଇବା ଏକ ବଡ ପ୍ରମାଣ ସଦୃଶ ହେବ। ଗୋଟିଏପଟେ ଅନୁପ ସାଏଙ୍କ ପରିବାର ଓ ତାଙ୍କ ଓକିଲ ସେ ନିର୍ଦ୍ଦୋଷ ତାଙ୍କୁ ଫସାଇ ଦିଆଯାଇଛି ବୋଲି କହୁଥିବାବେଳେ ଅନ୍ୟପଟେ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହକୁ ପ୍ରଥମେ ଦେଖିଥିବା ବ୍ୟକ୍ତି କମଳେଶ ଗୁପ୍ତା ପ୍ରଥମେ ଏହାକୁ ଏକ ଦୁର୍ଘଟଣା ଥିଲା ବୋଲି ପୋଲିସ ଆଗରେ କହିଥିଲେ। ସେହିଭଳି ଅନୁପ ଏବଂ ବର୍ଦ୍ଧନଙ୍କୁ ପୋଲିସ ପଚରାଉଚରା ବେଳେ ଏହା ପଛରେ ମରାଠା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ହେବାରୁ ଅନୁପଙ୍କୁ ମାରାଥନ ଜେରା କରୁଛି। ଆଇଜି ଦିପାଂଶୁ କାବ୍ରା କହିଛନ୍ତି, ଏପର୍ଯ୍ୟନ୍ତ ଅଭିଯୁକ୍ତ କଥାରେ କିଛି ତାଳମେଳ ରହୁନାହିଁ। ତେଣୁ ଏନେଇ ଅଧିକ ପ୍ରମାଣ ଯୋଗାଡ କରାଯିବ। ଛତିଶଗଡରେ ସକ୍ରିୟ ଥିବା ମରାଠା ଗ୍ୟାଙ୍ଗର ହାତ ଥିବା ନେଇ ସନ୍ଦେହ କରାଯାଉଛି।
ନାର୍କୋ ଟେଷ୍ଟ ବିରୋଧରେ ଅନୁପଙ୍କ ଓକିଲ
କଳ୍ପନା ଏବଂ ବବ୍‌ଲି ହତ୍ୟା ମାମଲାରେ ପୋଲିସର ଅନୁପଙ୍କ ନାର୍କୋ ଟେଷ୍ଟ ଉଦ୍ୟମକୁ ବିରୋଧ କରିଛନ୍ତି ଅନୁପଙ୍କ ଓକିଲ। ସେ କହିଛନ୍ତି, ଅନୁପଙ୍କ ଦେହ ଅସୁସ୍ଥ ଥିବାରୁ ଏହି ପରୀକ୍ଷା କରାଗଲେ ତାଙ୍କ ଶରୀର ଉପରେ ପ୍ରଭାବ ପକାଇବ। ଏପରିକି ମୃତ୍ୟୁ ଘଟିବାର ଆଶଙ୍କା ରହିଛି। ଅନ୍ୟପଟେ ପୋଲିସ ନାର୍କୋ ଟେଷ୍ଟ ପାଇଁ କରିଥିବା ଆବେଦନରେ ତ୍ରୁଟି ଥିବାରୁ କୋର୍ଟ ଏହାକୁ ଗୁରୁବାର ଖାରଜ କରିଦେଇଛି। ତେଣୁ ପୁଣିଥରେ ପୋଲିସ ଆବେଦନ କରିବ ବୋଲି ଜଣାପଡିଛି।

Share