Categories: ଜାତୀୟ

କଶ୍ମୀରରେ ଶିଶୁ ଅଟକ ଅଭିଯୋଗ: ହାଇକୋର୍ଟଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ା୯(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଅଗଷ୍ଟ ୫ରୁ ସେଠାରେ ବେଆଇନ ଭାବେ ପିଲାମାନଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟ ଶୁକ୍ରବାର ଏନେଇ ଜମ୍ମୁ-କଶ୍ମୀର ହାଇକୋର୍ଟର ଜୁଭେନାଇଲ ଜଷ୍ଟିସ୍‌ କମିଟିକୁ ରିପୋର୍ଟ ମାଗିଛନ୍ତି। ରିଟ୍‌ ପିଟିଶନରେ ଥିବା ତଥ୍ୟର ଅନୁଧ୍ୟାନ କରି ସପ୍ତାହେ ମଧ୍ୟରେ ଜଣାଇବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଅଧିକାର କର୍ମୀ ଏନାକ୍ଷୀ ଗାଙ୍ଗୁଲି ଓ ପ୍ରଫେସର ଶାନ୍ତା ସିହ୍ନାଙ୍କ ପକ୍ଷରୁ ପିଟିଶନ୍‌ ଦାଏର ହୋଇଥିଲା। ପିଲାଙ୍କୁ ଅଟକ ରଖାଯିବା ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ପ୍ରଧାନ ବିଚାରପତି କହିଥିଲେ।

ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ମାଲେସିଆର ଜଣେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ବ୍ୟବସାୟୀଙ୍କୁ ଅଟକ ରଖାଯିବା ଘଟଣାରେ ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ପ୍ରଶାସନକୁ ଜବାବ ମାଗିଛନ୍ତି। ଅଟକ ଘଟଣାକୁ ତାଙ୍କ ସ୍ତ୍ରୀ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ବ୍ୟବସାୟୀଙ୍କୁ କୋର୍ଟରେ ହାଜର କରିବା ସହ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜମ୍ମୁ-କଶ୍ମୀର ସାଧାରଣ ନିରାପତ୍ତା ଆଇନ, ୧୯୭୮ର ଧାରା ୮(୧)(କ) ଅନୁଯାୟୀ ବ୍ୟବସାୟୀ ମୁବିନ ଅହମ୍ମଦ ଶାହଙ୍କୁ ଅଗଷ୍ଟ ୭ରୁ ଆଗ୍ରା କେନ୍ଦ୍ରୀୟ ଜେଲ୍‌ରେ ଅଟକ ରଖାଯାଇଛି। ଅଟକ ନିର୍ଦ୍ଦେଶନାମା ଖାରଜ କରିବାକୁ ତାଙ୍କ ସ୍ତ୍ରୀ ଅସିଫା ମୁବିନ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାବ୍ୟତୀତ ଅନ୍ୟ ୫ ଜଣଙ୍କ ଅଟକ ନେଇ ମଧ୍ୟ ଅଦାଲତ ରାଜ୍ୟ ପ୍ରଶାସନକୁ ଜବାବ ମାଗିଛନ୍ତି।

Share