ଶ୍ରୀନଗର,୨୮।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସେଠାରେ ଲାଗିଥିବା କଟକଣାକୁ ଧୀରେ ଧୀରେ କୋହଳ କରାଯାଉଛି। ଏହା ବ୍ୟତୀତ ସରକାର ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ବୁଧବାର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୨ରୁ ୩ ମାସ ମଧ୍ୟରେ ଘାଟିରେ ବିଭିନ୍ନ ବିଭାଗରେ ୫୦ହଜାର ପଦବୀରେ ନିଯୁକ୍ତି ଦିଆଯିବ। ଏଥିସହ କୁପଓ୍ବାଡା ଓ ହିନ୍ଦଓ୍ବାଡା ଜିଲାରେ ମୋବାଇଲ ସଂଯୋଗ ଦିଆଯାଇଥିବା ବେଳେ ଖୁବ୍ଶୀଘ୍ର ଅନ୍ୟ ଜିଲାରେ ମଧ୍ୟ ଦିଆଯିବ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟପାଳ ମଲ୍ଲିକ ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ପ୍ରତ୍ୟେକ କଶ୍ମୀରୀଙ୍କ ଜୀବନ ଆମ ପାଇଁ ବହୁ ମୂଲ୍ୟବାନ। ସେଥିପାଇଁ ଆମେ ଚାହୁଁନାହୁଁ କୌଣସି କଶ୍ମୀରୀଙ୍କ ଜୀବନ ଅକାଳରେ ଯାଉ। ଏଥିପାଇଁ ଅନୁଚ୍ଛେଦ ହଟାଯିବା ପୂର୍ବରୁ ସରକାର ପ୍ରତିଷେଧକ ମୂଳକ ଭାବେ ଘାଟିରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଥିଲେ।