କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ ପକ୍ଷରୁ ନୂଆ ନୂଆ ପ୍ରତିକ୍ରିୟା ଆସୁଛି। ଏହି କ୍ରମରେ ପାକିସ୍ତାନ ସଂସଦରେ ବିରୋଧୀ ଦଳ ନେତା ସହବାଜ ଶରିଫ କଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା କରିବା ସହ ସେଠାକାର ପରିସ୍ଥିତିକୁ ଆଫଗାନିସ୍ତାନ ସହ ତୁଳନା କରିଛନ୍ତି। ସେ କହିଛନ୍ତି, ଭାରତ ପାକିସ୍ତାନ ମଧ୍ୟରେ ଲାଗିଥିବା ଉତ୍ତେଜନା ଆଫଗାନିସ୍ତାନ ଉପରେ ମଧ୍ୟ ପ୍ରଭାବ ପକାଇବ। ତେବେ ଏହାକୁ ନେଇ ଗୁରୁବାର ତାଲିବାନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଲିବାନର ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ବିଶ୍ୱର ଦେଶ ସହ ଆଫଗାନିସ୍ତାନକୁ ପ୍ରତିଦ୍ୱନ୍ଦିତାର ସ୍ଥଳ ନ କରାଯାଉ। କିଛି ଦେଶ କଶ୍ମୀର ପ୍ରସଙ୍ଗକୁ ଆଫଗାନିସ୍ତାନ ସହ ଯୋଡୁଥିବା ବେଳେ ଏଥିରୁ ସ୍ଥିତିରେ କୌଣସି ସୁଧାର ଆସିବ ନାହିଁ। ଏଥିସହ ଦୁଇ ଦେଶ ମଧ୍ୟରେ ଆଫଗାନିସ୍ତାନକୁ ଟଣା ନ ଯାଉ ବୋଲି ସେ ନିବେଦନ କରିଛନ୍ତି। ସେ ଆହୁରି ବି କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଏଭଳି ପଦକ୍ଷେପ ନେବା ଉଚିତ ଯେଭଳି ହିଂସା ଓ ଜଟିଳ ରାସ୍ତାରୁ ଦୂରେଇ ରହିପାରିବ। କାରଣ ତାଲିବାନ ନିକଟରେ ଯୁଦ୍ଧ ଓ ସଂଘର୍ଷର ବହୁ ତିକ୍ତ ଅନୁଭୂତି ରହିଛି। ତେଣୁ ଏହି ଆଞ୍ଚଳିକ ପ୍ରସଙ୍ଗକୁ ଶାନ୍ତି ଓ ଯୁକ୍ତିଯୁକ୍ତ ପ୍ରକ୍ରିୟାରେ ସମାଧାନ କରାଯାଉ ବୋଲି ମୁଖପାତ୍ର ଜବିହୁଲ୍ଲାହ କହିଛନ୍ତି। ଅନ୍ୟପଟେ କାବୁଲର ପାକିସ୍ତାନ ରାଷ୍ଟ୍ରଦୂତ ଜାହିଦ ନସୁରୁଲ୍ଲାହ ଖାନ କହିଛନ୍ତି, କଶ୍ମୀର ଯୋଗୁ ଆଫଗାନିସ୍ତାନର ଶାନ୍ତି ଉଦ୍ୟମରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ବହୁ ଦୁଃର୍ଭାଗ୍ୟପୂର୍ଣ୍ଣ ଯେ, ଏବେ ଯାଏଁ ଏହି ସମସ୍ୟାର ସମାଧାନ ହୋଇପାରିନାହିଁ ବୋଲି ସେ କହିଛନ୍ତି।

Share